ଦାରିଙ୍ଗବାଡି, ୫।୨ (ଅରୁଣ ସାହୁ): ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସରେ ଦେଖିବାକୁ ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରଥ, ଏପିଓ କେଦାର ଚନ୍ଦ୍ର ପଣ୍ଡା, କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଉପସ୍ଥିତ ଥିଲେ। ସେହିପରି ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଦାରିଙ୍ଗବାଡି ପ୍ରତିନିଧି ପିଟର ଦିଗାଲ, ୧୦ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ସିଡିପିଓ ସନ୍ଧାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତ ଗାଁ ହେବ ବିକଶିତ ଆଉ ଓଡ଼ିଶାର ହେବ ବିକଶିତ। ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରାଯିବା ସହ ଆଭ୍ୟନ୍ତରୀଣ ଆନ୍ତଃ ଗ୍ରାମ୍ୟ ସଂଯୋଗୀକରଣ ସହ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକରଣ କରାଯିବ। ଏଥିସହ ଅଭିନ ଭାବେ ଜନ ମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ କରାଯିବା ଲକ୍ଷ ରଖାଯାଇଛି । ଏହି କ୍ରମରେ ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତର ବିକାଶ କରାଯିବ। ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଗାଁ ଗାଁରେ କଲ୍ୟାଣ ମଣ୍ଡପ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳ, ପୂଜାପୀଠ, ଗୋଷ୍ଠୀ ସଭାଗୃହ, ପିଇବାପାଣି, ରାସ୍ତା ଘାଟ, ପୋଖରୀ ଖନନ,ସମେତ ଅନେକ ଉନ୍ନୟନ କାର୍ଯ୍ୟ କରାଯିବ। ଏଥିପାଇଁ ପ୍ରତି ପଞ୍ଚାୟତ ପାଇଁ ଖସଡ଼ା ଓ ଯୋଜନା ପ୍ରସ୍ତୁତି କରାଯାଇଥିବା କୁହାଯାଇଥିଲା।