ଘରକୁ ଫେରୁଥିବା ବେଳେ ବାଇକ୍‌ ଦୁର୍ଘଟଣା: ଚାଲିଗଲା ଜୀବନ

ଦେବଗଡ଼,୨୧।୧୦(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କୈଳାଶ-ଲଇମୁରା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ମୃତକ ହେଲେ ଦେବଗଡ଼ ପୌରାଞ୍ଚଳ ମହୁଲଢିପା ସାହିର ସମ୍ବାରୁ ନାୟକଙ୍କ ପୁଅ ଯଶୋବନ୍ତ ନାୟକ(୨୧)। ଆହତ ଯୁବକ ଜଣକ ଉକ୍ତ ସାହିର କାନ୍ତରୁ ଫଦକାରଙ୍କ ପୁଅ ସୌଭାଗ୍ୟ ଫଦକାର।

ମିଳିଥିବା ସୂଚନା ମୁତାବକ, ସୌଭାଗ୍ୟ ଏବଂ ଯଶୋବନ୍ତ ଏକ ବାଇକ୍‌ରେ ଲଇମୁରାରୁ ଘରକୁ ଫେରୁଥିଲେ। ହେଲେ ବାଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଇଯାଇଥିଲା। ଡାକ୍ତର ଯଶୋବନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସୌଭାଗ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ ଘଟଣାର ତଦନ୍ତ ଚଳାଇଛି।