ମହୁଲଫୁଲ ସଂଗ୍ରହ କରୁଥିବା ବେଳେ ପିଟିଲା ବାଇକ୍‌, ଚାଲିଗଲା ୨ ଜୀବନ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ୱରେ ଜଣେ ବୃଦ୍ଧଙ୍କୁ ଏକ ବାଇକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବାଇକ ଚାଳକ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ରାସ୍ତାକଡ଼ରେ ଥିବା ବୃଦ୍ଧ ରାଇପଦା ଗ୍ରାମର ଗିରିଧାରୀ କାର୍ଜି ବୋଲି ଜଣାପଡ଼ିଛି। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପ୍ରକାଶ ଯେ, ଠାକୁରମୁଣ୍ଡାର ଅଧିଷ୍ଠାତ୍ରୀ ଦେବୀ ମା’ ବାସୁଳିଙ୍କ ପୀଠରେ ପଣାସଂକ୍ରାନ୍ତି ଅବସରରେ ରାତିରେ ହୋଇଥିବା ଉଡ଼ା ପର୍ବ ଦେଖିବାକୁ କେଲପୋଷୀ ଗ୍ରାମର ଅଜୁ ମହାନ୍ତ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍‌ ନମ୍ବର ଓଆର ୧୯ ସି ୭୦୧୬ ଯୋଗେ ଆସି ସକାଳେ ଘରକୁ ଫେରୁଥିଲେ। ରାଇପଦା- କେଲପୋଷୀ ଗ୍ରାମ ରାସ୍ତା କଡ଼ରେ ଥିବା ମହୁଲ ଗଛରୁ ପଡ଼ିଥିବା ମହୁଲ ଫୁଲକୁ ରାଇପଦା ଗ୍ରାମର ଗିରିଧାରୀ କାର୍ଜି (୬୫) ସଂଗ୍ରହ କରୁଥିବା ବେଳେ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧ ସମେତ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ରେ ଥିବା ଅନ୍ୟ ଜଣେ ଆହତ ହୋଇଥିବାର ଜଣାଯାଇଛି।

Share