ଚିତ୍ରକୋଣ୍ଡା,୪ା୧(ଡି.ଏନ୍.ଏ.): ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବୁଧବାର ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ ଦୁଇଟି ବାଇକ୍ ଆମ୍ବୁଲାନ୍ସ ସେବାକୁ ମାଲକାନଗିରି ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଉଦ୍ଘାଟନ କରିଥିଲେ। ଏହି ବାଇକ୍ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନଙ୍କୁ ନିକଟତମ ମେଡିକାଲରେ ପହଞ୍ଚାଇ ହେବ ବୋଲି ଆଶା ବାନ୍ଧିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଗୋଟିଏ ଆମ୍ବୁଲାନ୍ସ ବଡ଼ପଡ଼ାଠାରେ ରହିବ ଓ ଅନ୍ୟଟି ଯନ୍ତ୍ରୀ ତଥା ଅଣ୍ଡରାପାଲି ଦୁଇଟି ପଞ୍ଚାୟତ ପାଇଁ ନାକାମାମୁଠାରେ ରହି କାର୍ଯ୍ୟକ୍ଷମ ହେବ। ଦୁଇଟି ଆମ୍ବୁଲାନ୍ସକୁ ନାବାର୍ଡ ଅନୁଷ୍ଠାନ ଯୋଗାଇଥିବା ବେଳେ ଏହାକୁ ପରିଚାଳନା କରିବ ପରିବର୍ତ୍ତନ ଅନୁଷ୍ଠାନ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, ଡା. ଅଭିଜିତ ଶତପଥୀ, ଆୟୁର୍ବେଦ ହରିପ୍ରସାଦ ଶର୍ମା,ପାପରମେଟେଲା ସରପଞ୍ଚ ନରସିଂହ ସିନ୍ଧାରୀ, ବଡ଼ପଡ଼ା ସରପଞ୍ଚ ନିଲୁ ଖିଲ,ବିମଳା ହନ୍ତାଳ,ପରିବର୍ତ୍ତନ ଅନୁଷ୍ଠାନର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ନାବାର୍ଡ ଡାଇରେକ୍ଟର ଧର୍ମେନ୍ଦ୍ର ବେହୁରିଆ, ଜାନବାଇ ସେକ୍ଟର ସୁପରଭାଇଜର ଶଶାଙ୍କ ଶେଖର କର ପ୍ରମୁଖ ଉପସ୍ଥିତ ଥିଲେ।