ବାଇକ୍‌-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଟିକିରି,୧୧ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଶନିବାର ଏକ ଯାତ୍ରୀବାହୀ ଅଟୋ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କାଶୀପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ବଲାଙ୍ଗୀର ଗ୍ରାମର ଯୋଗୀ ମାଝି। ଗୁରୁତରଙ୍କ ମଧ୍ୟରେ ଉକ୍ତ ଗ୍ରାମର ଗୋପବନ୍ଧୁ ମାଝି ଏବଂ ଅଟୋ ଡ୍ରାଇଭର ସରଗିପଦର ଗ୍ରାମର ସୁନ୍ଦରଲାଲ ନାଏକ।

ସୂଚନାନୁଯାୟୀ, ଗୋଟିଏ ବାଇକ୍‌ରେ ୩ ଜଣ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ସହ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଷାପଡ଼ାସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଯୋଗୀ ମାଝିଙ୍କୁ ଡାକ୍ତର ମୃତ ଘୋଷାଣା କରିଛନ୍ତି। ଗୁରୁତର ଦ୍ୱୟଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।