ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୁରୁତର ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ପଠାଇ ଦିଆଯାଇଛି। ଗୁରୁତର ଛାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଶୁଣ୍ଢିପଲ୍ଲୀ ଗ୍ରାମର ଶ୍ରୁତି ଦୋରା (୧୬) ଏବଂ ଗୁରୁତର ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଖୁଲୁଡି ଗ୍ରାମର ଏସ୍‌.ଶ୍ରୀକାନ୍ତ ଦୋରା (୨୪) ବୋଲି ଜଣାପଡିଛି।

ସୂଚନାନୁସାରେ, ଛାତ୍ରୀ ଜଣକ ସାଙ୍ଗମାନଙ୍କ ସହ ସାଇକେଲ୍‌ ଯୋଗେ ଟ୍ୟୁସନ ଯିବା ପାଇଁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏସ୍‌.ଶ୍ରୀକାନ୍ତ ବାଇକ୍‌ ନଂ ଓଡି-୦୭ ଏଏସ୍‌-୧୯୪୧ରେ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ଛାତ୍ରୀଙ୍କ ସାଇକେଲ୍‌ ସହ ମୁହାଁମୁହିଁ ଧକ୍କା ଦେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Share