ଟ୍ରକ୍‌କୁ ଧକ୍କା ଦେଇ ପୁଣି ପିକ୍‌ଅପ୍‌ରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୦ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ୍‌ ସହ ଏକ ମୋଟରସାଇକେଲ ପିଟି ହେବାରୁ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ତୁମୁଡ଼ିବନ୍ଧ ଥାନା ଝରିଆପଦା ଅଞ୍ଚଳର ମଞ୍ଜ ପ୍ରଧାନୀ ବୋଲି ଜଣାପଡ଼ିଛି।ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତ ଟ୍ରକ୍‌ ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ମୃତକ ଜଣକ ବାଲିଗୁଡ଼ା ପଟୁ ତୁମୁଡ଼ିବନ୍ଧ ଅଭିମୁଖେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ସହ ଧକ୍କା ହୋଇ ଗୁରୁତର ହୋଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ମୋଟରସାଇକେଲ ଚାଳକଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share