ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପୋଲିସ ଥାନା ନିକଟରେ ଗୁରୁବାର ମଧ୍ୟାହ୍ନରେ ପିକଅପ ଭ୍ଯାନ (ନଂ. ଓଡ଼ି୦୭ ଆର – ୦୧୨୮) ଏକ ବାଇକ (ନଂ. ଓଡ଼ି ୦୭ ଏଡ଼ବ୍ଲ୍ୟୁ -୨୨୨୧) କୁ ସମ୍ମୁଖ ଭାଗରୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦରଥାନା ହୁଗୁଳାପଟା ଗ୍ରାମର ସନ୍ତୋଷ କୁମାର ସ୍ବାଇଁ।
ସନ୍ତୋଷ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ବର ଗ୍ରାମରେ ବିବାହ କରିଥିବା ବେଳେ ପବିତ୍ର ଶାମ୍ୱଦଶମୀ ପୂଜା ପାଇଁ ଶ୍ଵଶୁର ଘରକୁ ଆସିଥିଲେ। ଅପରାହ୍ନ ପ୍ରାୟ ୧ ଟା ରେ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ପିକଅପ ଭ୍ଯାନ ବାଇକ କୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଓ ପିକଅପ୍ ଭ୍ୟାନକୁ ଜବତ କରିଛନ୍ତି। ଥାନା ମାମଲା ନଂ.୨୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ପରେ ଭ୍ୟାନ ଚାଳକ ଦିଗପହଣ୍ଡି ଥାନାରେ ଆତ୍ମ ସମର୍ପଣ କରିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।