ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା, ନ୍ୟାୟ ଦାବିରେ ରେଳରୋକୋ

ବାରିପଦା ଅଫିସ,୧ା୫: ସୋମବାର ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ କଷ୍ଣଚନ୍ଦ୍ରପୁର ରେଳଧାରଣା ପାର ବେଳେ ଟ୍ରେନ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମତ୍ୟୁ ଘଟିଛି। ବ୍ୟକ୍ତି ଜଣକ ବାଇକ୍‌ରେ ରେଳ ଧାରଣା ଉପରେ ପାର୍‌ ହେବା ବେଳେ କୋଲକାତାରୁ ବାରିପଦା ଆସୁଥିବା ଶାଲିମାର ସୁପରଫାଷ୍ଟ ଟ୍ରେନ୍‌ରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ପୂର୍ବରୁ ସେ ସ୍ଥାନରେ ଏକ ଫାଟକ ଥିଲା ପରେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ କରାଯିବା ସମୟରେ ଉଡନ୍ତା ପୋଲ ନିର୍ମାଣ ହେତୁ ରାସ୍ତା ବନ୍ଦ କରି ଫାଟକକୁ ଉଠାଇ ଦିଆଯାଇଥିଲା। ତେବେ ପୋଲ ତଳେ ଲୋକମାନେ ରେଳ ଧାରଣା ପାର ହେବା ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ପ୍ରତିଦିନ ବିପଦ ସଙ୍କୁଳ ଭାବେ ରେଳ ଧାରଣା ଉପରେ ପାର ହୋଇଥାଆନ୍ତି। ପୂର୍ବରୁ ମଧ୍ୟ ଏପରି ଦୁର୍ଘଟଣା ଘଟିଥିବାର ନଜିର ରହିଥିବା ବେଳେ ସ୍ଥାନୀୟ ଲୋକେ ବହୁବାର ଫାଟକ ବସାଇବା ପାଇଁ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଉତ୍ତ୍ୟକ୍ତ ଜନତା ନ୍ୟାୟ ଦାବିରେ ରେଳ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ଆରମ୍ଭ କରିଛି।

Share