ଧରାପଡ଼ିଲା ବାଇକ୍‌ ଚୋରି ଗ୍ୟାଙ୍ଗ, ୩ ନାବାଳକଙ୍କ ସହ ୧୫ ଗିରଫ

ସମ୍ବଲପୁର,୧୩ା୮ (ବ୍ୟୁରୋ): ୨ ବର୍ଷ ଧରି ସମ୍ବଲପୁର ଜିଲାରେ ଚାଲିଥିବା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ବିଭିନ୍ନ ଥାନା ପୋଲିସ ୨୧ ବାଇକ୍‌ ସହ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ନାବାଳକଙ୍କ ସମେତ ୧୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଙ୍ଗାଲି ଥାନା ଅଞ୍ଚଳରୁ ଗିରଫ ଅଭିଯୁକ୍ତମାନେ ହେଲେ ମଦନ ସୁନ୍ଦର ଖଡିଆ(୨୯), ଜିତୁ ମାଝି(୨୭) ଓ ୩ ଜଣ ନାବାଳକ। ସେହିପରି ଧନୁପାଲି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ନିମାଇଁଚରଣ ନାୟକ(୨୫), ଟୁନା ଭୋଇ(୨୦), ଅଜୟ ଦେହୁରି(୨୨), କୃଷ୍ଣ ଚନ୍ଦ୍ର ସାହୁ(୨୨), ବାବୁଲାଲ ପ୍ରଧାନ (୩୫), ଶ୍ରୀରାମ କର୍ମୀ (୨୭), ସୁନିଲ ମହାନନ୍ଦ (୨୩), ଇନ୍ଦ୍ରମଣୀ ପୋଢ଼(୨୩)। ଟାଉନ ଥାନା ପୋଲିସ ଦ୍ୱାରା ଲକ୍ଷ୍ମୀନନ୍ଦ ନାୟକ (୨୫), ସୁବାସ ମହାନନ୍ଦିଆ(୨୧) ଗିରଫ ହୋଇଛନ୍ତି। ଏ ନେଇ ବିଭିନ୍ନ ଥାନାରେ ପୃଥକ୍‌ ମାମଲା ରୁଜୁ ହୋଇଛି। ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ସମ୍ବଲପୁର ସହର ସମେତ ରେଢ଼ାଖୋଲ, କୁଚିଣ୍ଡା, ଜମନକିରା, ଯୁଯୁମୁରା ଅଞ୍ଚଳରେ ପ୍ରାୟ ୨ବର୍ଷ ଧରି ଏହି ର଼୍ୟାକେଟ ବାଇକ୍‌ ଓ ଚାରିଚକିଆ ଗାଡି ଚୋରି କରିଆସୁଥିଲା। ସେମାନଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣଙ୍କ ନାମରେ ଚୋରି ବାଇକ୍‌ କିଣିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

Share