ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ୍‌

ଢେଙ୍କାନାଳ ଅଫିସ, ୧୩।୭ – ସହରରେ ଘୂରି ବୁଲୁଥିଲେ। ସାମାନ୍ୟ ସୁବିଧା ମିଳିଲେ ମାଷ୍ଟର କି’ ସହାୟତାରେ ଚୋରି କରି ନେଇଯାଉଥିଲେ ବହୁ ମୂଲ୍ୟ ଟଙ୍କାର ବାଇକ୍‌। ଜାଲ୍‌ ନମ୍ବର ପ୍ଲେଟ୍‌ ଲଗାଇ ଏହାକୁ ଶାଗମାଛ ଦରରେ ବିକ୍ରି କରିଦେଉଥିଲେ। ଏଭଳି ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ସମେତ ୬ଜଣଙ୍କୁ ମଙ୍ଗଳବାର ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୭ଟି ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଲାଗି ଉଦ୍ୟମ କରାଯାଉଥିବା ପୋଲିସ କହିଛି।
ଢେଙ୍କାନାଳ ସହରରେ ବାଇକ୍‌ ଚୋରି ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ଗତ ୪ମାସ ମଧ୍ୟରେ ସମାନ ଉପାୟରେ ଅଭିଯୁକ୍ତମାନେ ବାଇକ୍‌ ଉଠାଇ ନେଉଥିବା ବେଳେ ଏହାକୁ ନେଇ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ଚୋରି ବାଇକ୍‌ଗୁଡ଼ିକ ଉଦ୍ଧାର କରିବା ଲାଗି ଟାଉନ ଥାନା ପୋଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ସମ୍ପର୍କିତ ସୁରାକ୍‌ ମିଳିବା ପରେ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଢେଙ୍କାନାଳ ସହର କାଞ୍ଚନବଜାର ଅଞ୍ଚଳର ଚନ୍ଦନ ସେଠୀ (୧୯), ପରଜଙ୍ଗ ଥାନା କୁଲେଇ ଅଞ୍ଚଳର ମୁଖ୍ୟ ରିସିଭର ଲିଲୁ ଜେନା (୩୮), ଅମରେନ୍ଦ୍ର ଖଟୁଆ(୨୫), ଗୁଲବାସ ସାହୁ (୪୦), ବସୁଲେଇ ଅଞ୍ଚଳର କପିଳ ପରିଡା (୩୦) ଏବଂ କେନ୍ଦୁଝର ଜିଲା ତେଲକୋଇ ଥାନା କରଡ଼ାଙ୍ଗି ଗ୍ରାମର ଦୁଷ୍ମନ୍ତ ସ୍ବାଇଁ (୪୭)ଙ୍କୁ ପୋଲିସ ଗିରଫ କରିଛି। ପରଜଙ୍ଗ ଥାନା କୁଲେଇ ଏବଂ ଗେଙ୍ଗୁଟିଆ ଅଞ୍ଚଳରେ ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
ଅଭିଯୁକ୍ତମାନେ ଦାମୀ ବାଇକ୍‌ ଚୋରି କରିବା ପରେ ମାତ୍ର ୭ରୁ ୯ ହଜାର ଟଙ୍କାରେ ବିକ୍ରି କରିଦେଉଥିଲେ। ଜବତ ହୋଇଥିବା ଅଧିକାଂଶ ବାଇକ୍‌ ନମ୍ବର ବଦଳାଯାଇଛି। କେତେକ ବାଇକ୍‌ର ନମ୍ବର ପ୍ଲେଟ୍‌ ବାହାର କରିଦିଆଯାଇଛି। ପୋଲିସ ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତମାନେ ଏଭଳି ଉପାୟ ଅବଲମ୍ବନ କରିଥିଲେ। କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି.ଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ତତ୍ତ୍ୱାବଧାନରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ, ସୌଭାଗ୍ୟ ପାଣି, ସୁଧାକର ମହାନ୍ତି, ଏଏସ୍‌ଆଇ ସୁଶାନ୍ତ ବେହେରା ପ୍ରମୁଖ ଢେଙ୍କାନାଳ, ପରଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ବାଇକ୍‌ଗୁଡ଼ିକୁ ଜବତ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟାଉନ୍‌ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ବେଉରା ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଚନ୍ଦନ ମାଷ୍ଟର କି’ ସହାୟତାରେ ଢେଙ୍କାନାଳ ସହରରୁ ବାଇକ୍‌ଗୁଡ଼ିକ ଚୋରି କରି ପରଜଙ୍ଗ ଅଞ୍ଚଳର ସମ୍ପୃକ୍ତ ଅଭିଯୁକ୍ତଙ୍କ ସହାୟତାରେ ବିକ୍ରି କରିଦେଉଥିଲେ। ତଦନ୍ତ ପରେ ଆହୁରି ଅନେକ ଚୋରି ବାଇକ୍‌ ଜବତ ହେବା ସମ୍ଭାବନା ରହିଛି।