ବାଇକ ଚାଳକଙ୍କୁ ପିଟିପିଟି ମାରିଦେଲେ: ମୃତଦେହ ରଖି ରାସ୍ତାରୋକୋ

ନବରଙ୍ଗପୁର,୧୨।୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ନିର୍ଧୂମ ପିଟି ମାରିଦେବା ଅଭିଯୋଗ ହୋଇଛି। କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁପରେ ଗ୍ରାମକୁ ମୃତଦେହ ଆସିଛି। ଗ୍ରାମବାସୀ ଓ ପରିଜନବର୍ଗ ଘଟଣାସ୍ଥଳକୁ ମୃତଦେହ ଆଣି ରାସ୍ତାରୋକୋ କରିଛନ୍ତି। ମୃତକ ଜଣଙ୍କ ବାପା ଓ ମା’ ଛେଉଣ୍ଡ, ତାଙ୍କ ଭାଇଙ୍କୁ ସରକାରଙ୍କ ଦ୍ୱାରା କ୍ଷତିପୂରଣ ଓ ମୃତକଙ୍କୁ ପିଟିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ରାସ୍ତାରୋକେ କରାଯାଇଛି l ଫଳରେ ନବରଙ୍ଗପୁର ଜିଲ୍ଲା ସଦରମୁହକୁମାରୁ ନନ୍ଦାହାଣ୍ଡି ବ୍ଲକ ସଦରମୁହକୁମାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l
ଅଭିଯୋଗ ଅନୁସାରେ ଗତ ୮ ତାରିଖରେ ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗ୍ରାମର ସୁଶୀଲ ସୌରା ଓ ତାର ସାଙ୍ଗ କମଳୁ ସୌରା ବାଇକ ଯୋଗେ ନବରଙ୍ଗପୁରରୁ ଘରକୁ ଫେରୁଥିବାବେଳେ ତୁରୁଞ୍ଜିଆଗୁଡା ଗ୍ରାମ ନିକଟରେ ୨ ଜଣ ମହିଳାଙ୍କ ସହ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରୁଞ୍ଜିଆଗୁଡା ଗ୍ରାମର କିଛି ଯୁବକ ଆସି ବାଇକ ଚାଳକ ସୁଶୀଲକୁ ପିଟିଥିଲେ। ପରେ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲ ଓ ପରେ କୋରାପୁଟ, ବ୍ରହ୍ମପୁର ଓ କଟକ ମେଡିକାଲକୁ ନିଆଯାଇଥିଲା। ରବିବାର କଟକ ମେଡିକାଲରେ ସୁଶୀଲ ସୌରାଙ୍କ ମୃତ୍ୟୁ ହେବାପରେ ସୋମବାର ମୃତଦେହ ଗ୍ରାମରେ ପହଞ୍ଚିଥିଲା। ସିନ୍ଧିଗୁଡା ଗ୍ରାମବାସୀ ଓ ପରିଜନବର୍ଗ ଦୁର୍ଘଟଣା ଘଟିଥିବା ସ୍ଥାନ ତୁରଞ୍ଜିଆଗୁଡା ନିକଟରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ରାସ୍ତାରୋକୋ ନିକଟରେ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଓ ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା ଉପସ୍ଥିତ ରହି ରାସ୍ତାରୁ ହଟିବା ପାଇଁ ବୁଝାସୁଝା କରୁଛନ୍ତି।

Share