ବାଇକ୍ ଚଳାଇଲାବେଳେ ମୁଣ୍ଡରେ ହେଲ୍ମେଟ୍ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା ଥାଏ। କିନ୍ତୁ ଜଣେ ବ୍ୟକ୍ତି ବାଇକ୍କୁ ଏତେ ବିପଜ୍ଜନକଶୈଳୀରେ ଚଳାଉଛନ୍ତି ଯେ, ତାହା ନ ଦେଖିଲେ ବିଶ୍ୱାସ ହେବ ନାହିଁ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ହାମ୍ସଫାୟର୍ର ୩୧ ବର୍ଷ ବୟସ୍କ ମାର୍କୋ ଜର୍ଜ। ସେ ବାଇକ୍ ଉପରେ ହେଡ୍ଷ୍ଟାଣ୍ଡ କରି ବା ମୁଣ୍ଡରେ ଠିଆ ହୋଇ ଚଳାଇ ପାରନ୍ତି। ଏହିଭଳିଭାବେ ରହି ସବୁଠାରୁ ଦ୍ରୁତଗତିରେ ବାଇକ୍ ଚଳାଇ ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ବି ପାଇଛନ୍ତି। ଏହି ରେକର୍ଡ ସେ ତିନି ଥର କଲେଣି। ଆଉ ପ୍ରତିଥର ସେ ନିଜ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଥାନ୍ତି। ଏବେ ସେ ହେଡ୍ଷ୍ଟାଣ୍ଡ କରି ଘଣ୍ଟା ପ୍ରତି ୧୨୨.୫୯ କି.ମି. ବେଗରେ ବାଇକ ଚଳାଇ ନୂଆ ରେକର୍ଡ କରିଛନ୍ତି। ଏଭଳି ବାଇକ୍ ଚଳାଇବା ସତରେ କୌଣସି ବିସ୍ମୟଠାରୁ କମ୍ ନୁହେଁ।