ବିକିନି କିଲର୍‌ ମୁକ୍ତ

କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖଲାସ କରି ଫ୍ରାନ୍ସକୁ ପ୍ରତ୍ୟର୍ପଣ କରାଯାଇଛି। ୧୯୭୦ ଦଶକରେ ଏସିଆରେ ବହୁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ୭୮ ବର୍ଷୀୟ ଚାଲର୍‌ସ ନେପାଳୀ ଜେଲରେ ୨୦ ବର୍ଷ ଧରି ଦଣ୍ଡ ଭୋଗିସାରିଛନ୍ତି। ତାଙ୍କୁ ଏକ ବ୍ଲ୍ୟୁ ପୋଲିସ ଗାଡ଼ିରେ ଜେଲରୁ ମୁକ୍ତ କରିବା ପରେ ଅପ୍ରବାସନ ଅଟକକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଚାଲର୍‌ସଙ୍କୁ ସନ୍ଧ୍ୟା ୬ଟାରେ କାତାର ଏୟାରଓ୍ବେଜ୍‌ର ଏକ ବିମାନ ଜରିଆରେ ପ୍ରତ୍ୟର୍ପଣ କରାଯାଇଥିବା କୁହାଯାଇଛି।
ଚାଲର୍‌ସ ଶୋଭରାଜଙ୍କ ବାପା ଜଣେ ଭାରତୀୟ ଓ ମା’ ଭିଏଟ୍‌ନାମ ନାଗରିକ ଥିଲେ। ବିକିନି କିଲର୍‌ ନାମରେ ପରିଚିତ ଏହି ଚାଲାକ ଚତୁର ଅପରାଧୀ ୧୯୭୫ରେ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ନେପାଳକୁ ପ୍ରବେଶ କରିଥିଲେ। ସେଠାରେ ସେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ହତ୍ୟାର ଶିକାର ହୋଇଥିଲେ ଆମେରିକୀୟ କୋନ୍ନିଏ ବୋରୋଞ୍ଜିକ୍‌(୨୯) ଏବଂ ତାଙ୍କ କାନାଡୀୟ ଗର୍ଲଫ୍ରେଣ୍ଡ୍‌ ଲରେଣ୍ଟ କେରି(୨୬)। ୨୦୦୩ ସେପ୍ଟେମ୍ବର ୧ରେ ଚାଲର୍‌ସଙ୍କୁ ନେପାଳର ଏକ କ୍ୟାସିନୋ ବାହାରେ ଦେଖିବାକୁ ମିଳିଥିଲା। ଏକ ଖବରକାଗଜରେ ଚାଲର୍‌ସଙ୍କ ଫଟୋ ପ୍ରକାଶ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିଲା। ୨୦୧୭ରେ ଚାଲର୍‌ସଙ୍କ ହାର୍ଟ ସର୍ଜରି କରାଯାଇଥିଲା। ନେପାଳର ସୁପ୍ରିମକୋର୍ଟ ଚାଲର୍‌ସଙ୍କୁ ମୁକ୍ତ କରିବା ପାଇଁ ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମୁକ୍ତ ହେବାର ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ନେପାଳରେ ଚାଲର୍‌ସଙ୍କ ବିରୋଧରେ ଆଉ କୌଣସି ମାମଲା ବିଚାରାଧୀନ ନାହିଁ। ଏବେ ସେ ଜଣେ ମୁକ୍ତ ମଣିଷ ବୋଲି ଚାଲର୍‌ସଙ୍କ ଓକିଲ ଗୋପାଳ ସିଓ୍ବାକୋଟି ଚିନ୍ତନ ସୂଚନା ଦେଇଛନ୍ତି।

Share