Categories: ଜାତୀୟ

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍‌ନାକୁ ଆସିଛି। ପ୍ରଫେସର ଜଣକ ସୁଇମ୍‌ସୁଟ୍‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଅପ୍‌ଲୋଡ୍‌ କରିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେବଳ ଏତିକି ନୁହେଁ, ୟୁନିଭର୍ସିଟିର ପ୍ରତିଷ୍ଠା ହାନି କରିବା ଅଭିଯୋଗରେ ତାଙ୍କୁ ୯୯ କୋଟି ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏପରି କରି ସମ୍ପୃକ୍ତା ପ୍ରଫେସରଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରିଭେସିରେ ୟୁନିଭର୍ସିଟି ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି।

ଜଣକ ଇନ୍‌ଷ୍ଟାରେ ସୁଇମ୍‌ ପୋଷାକ ପିନ୍ଧି ଫଟୋ ଅପ୍‌ଲୋଡ କରିଥିବା ସମ୍ପର୍କରେ ଜଣେ ଛାତ୍ରଙ୍କ ବାପା ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଫେସରଙ୍କ ଇନ୍‌ଷ୍ଟା ଆକାଉଣ୍ଟ ପ୍ରାଇଭେଟ ଥିବା ସତ୍ତ୍ୱେ ତାହାକୁ ହ୍ୟାକ୍‌ କରାଯାଇ ଲକ୍‌ ଥିବା ପ୍ରୋଫାଇଲ ଫଟୋକୁ ଛାତ୍ର ଜଣକ ହାସଲ କରିବା ପରେ ଭାଇରାଲ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏହାର ଯାଞ୍ଚ କରି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ୟୁନିଭର୍ସିଟି ପ୍ରଫେସରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ଘଟଣା ଅନେକଙ୍କୁ ଚକିତ କରିଛି। ଛାତ୍ରଙ୍କ ବାପା କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ପୁଅ ମୋବାଇଲରେ ପ୍ରଫେସରଙ୍କ ଫଟୋ ଦେଖୁଥିବା ସେ ଜାଣିବାକୁ ପାଇଥିଲେ। ଜଣେ ଶିକ୍ଷୟିତ୍ରୀ ଅନ୍ତଃବସ୍ତ୍ରରେ ଏଭଳି ଫଟୋ ଅପ୍‌ଲୋଡ୍‌ କରିବା ଲଜ୍ଜାକର କଥା ବୋଲି ଛାତ୍ରଙ୍କ ବାପା ୟୁନିଭର୍ସିଟିକୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ।

ଅପରପକ୍ଷେ ପ୍ରଫେସର ଏହା ବିରୋଧରେ ଆସନ୍ତା ସପ୍ତାହରେ କାଲ୍‌କାଟା ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିବେ ବୋଲି କହିଛନ୍ତି। ସେ ଗତ ବର୍ଷ ଅଗଷ୍ଟରେ ୟୁନିଭର୍ସିଟିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଏହି ଫଟୋ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଅପ୍‌ଲୋଡ୍‌ କରିଥିଲେ। ୨୪ ଘଣ୍ଟା ପରେ ଉକ୍ତ ଷ୍ଟୋରି ଇନ୍‌ଷ୍ଟାରୁ ଆପେ ଗାଏବ ହୋଇଯାଇଥିଲା। କିନ୍ତୁ ଗତ ଅକ୍ଟୋବର ୭ରେ ତାଙ୍କୁ ୟୁନିଭର୍ସିଟିରୁ ଫୋନ ଯାଇଥିଲା। ସେହିଦିନ ଅପରାହ୍ନରେ ବିଶ୍ୱବିଦ୍ୟାଳୟ କୁଳପତି ଫେଲିକ୍ସ ରାଜ, ରେଜିଷ୍ଟ୍ରାର ଆଶିଷ ମିତ୍ରାଙ୍କ ଉପସ୍ଥିତିରେ କଙ୍ଗାରୁକୋର୍ଟ ବସିଥିଲା। ସେଠାରେ ତାଙ୍କୁ ଅପମାନିତ କରାଯିବା ସହ ଧମକ ଦିଆଯାଇଛି। ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଇଛି। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ ହୋଇଥିବାବେଳେ କିପରି ଛାତ୍ର ଜଣକ ଉକ୍ତ ଫଟୋ ପାଇଲେ ତାହାର ତଦନ୍ତ ହେବା ଜରୁରୀ। ତାଙ୍କ ଅଜାଣତରେ ୟୁନିଭର୍ସିଟିରେ ମଧ୍ୟ ଉକ୍ତ ଫଟୋ ଭାଇରାଲ ହୋଇଛି। ଏସବୁ ତାଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ପ୍ରଫେସର ଜଣକ କହିଛନ୍ତି।

Share