Categories: ଜାତୀୟ

ସିଦ୍ଧୁଙ୍କୁ ବିକ୍ରମଙ୍କ କଟାକ୍ଷ: ଯିଏ ନିଜ ମା’ଙ୍କ ହୋଇପାରିଲେ ନାହିଁ, ସେ ଜନତାଙ୍କର କିଭଳି ହେବେ

ଅମୃତସର,୨୮।୧: ୨୦୨୨ ପଞ୍ଜାବ ନିର୍ବାଚନ ଲାଗି ଶିରୋମଣି ଅକାଳି ଦଳ ନେତା ତଥା ଅମୃତସର ପୂର୍ବର ପ୍ରାର୍ଥୀ ବିକ୍ରମ ସିଂହ ମାଜିଥିଆ ଶୁକ୍ରବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ବିକ୍ରମ କହିଛନ୍ତି, ଅମୃତସର ପୂର୍ବରେ କୌଣସି ବିକାଶ ହୋଇନାହିଁ। ଯଦି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସିଦ୍ଧୁଙ୍କୁ ସିଏମ୍‌ ନକରନ୍ତି, ତେବେ ସେ ପାକିସ୍ତାନ ଯାଇ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ର ମୁଖ୍ୟ ମଧ୍ୟ ହୋଇପାରିବେ। ଯିଏ ନିଜ ମା’ଙ୍କର ହୋଇପାରିଲେ ନାହିଁ, ସେ ଜନତାଙ୍କର କିଭଳି ହେବେ ବୋଲି କଟାକ୍ଷ କରିଛନ୍ତି।

ପ୍ରକାଶ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଅଳ୍ପ ଦିନ ବାକି ଅଛି। ସିଦ୍ଧୁ ଅମୃତସର ପୂର୍ବରୁ ନିର୍ବାଚନ ଲଢ଼ୁଛନ୍ତି। ହେଲେ ଏହାପୂର୍ବରୁ ଜଣେ ମହିଳା ସୁମନ ତୁର, ନିଜକୁ ସିଦ୍ଧୁଙ୍କ ଭଉଣୀ ବୋଲି କହି ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସିଦ୍ଧୁ ଜଣେ ନିର୍ଦ୍ଦୟ ବ୍ୟକ୍ତି। ୧୯୮୬ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ବୃଦ୍ଧା ମା’ଙ୍କୁ ଘରୁ ତଡ଼ି ଦେଇଥିବା ସେ ଅଭିଯୋଗ କରିବା ସହ ୧୯୮୯ରେ ଦିଲ୍ଲୀ ରେଳ ଷ୍ଟେଶନରେ ଅସହାୟ ମହିଳା ଭାବେ ତାଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଟଙ୍କା ପାଇଁ ସିଦ୍ଧୁ ସବୁକିଛି କରିଥିବା ସେ ଦାବି କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି।

Share