ବିଳାସିନୀ ନାଟ୍ୟମକୁ ସନ୍ତୁର ବାଦନର ନିଆରା ପରିବେଶ

ଭୁବନେଶ୍ୱର,୯ା୯(ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ଭାରତୀୟ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତର ମହାକୁମ୍ଭ ଓଏମ୍‌ସି ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ମଙ୍ଗଳବାର ଥିଲା ୪ର୍ଥ ସନ୍ଧ୍ୟା। ପ୍ରତି ସନ୍ଧ୍ୟା ଭଳି ଏଥର ମଧ୍ୟ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ ଆକର୍ଷଣ ରହିଥିଲା। ନୃତ୍ୟଶିଳ୍ପୀ ପୂର୍ବ ଧନୁଶ୍ରୀଙ୍କ ବିଳାସିନୀ ନାଟ୍ୟମ୍‌ ସାଙ୍ଗକୁ ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟଙ୍କ ସନ୍ତୁର ବାଦନ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।
ପ୍ରଥମେ ରାଗ ଆରଭିରେ ନିବଦ୍ଧ ‘ଚୁର୍ନିିକା’ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପୂର୍ବା ଦ୍ୱିତୀୟ ପ୍ରସ୍ତୁତିରେ ‘ଯତିସ୍ବରମ୍‌’ ମଞ୍ଚସ୍ଥ କରିଥିଲେ। ଏହାପରେ ସେ ଅଷ୍ଟାଦଶ ଶତାବ୍ଦୀର କବି ସଦାଶିବ ବ୍ରହ୍ମେନ୍ଦ୍ରଙ୍କ କବିତା କ୍ରିତି, କ୍ରିଦତିବନମାଳୀରେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶ୍ରୀଜୟଦେବଙ୍କ ରଚିତ ଗୀତଗୋବିନ୍ଦର ଦୁଇଟି ଅଷ୍ଟପଦୀ ପରିବେଷଣ କରିଥିଲେ। ଶିଳ୍ପୀଙ୍କୁ କଣ୍ଠରେ କେ. ଭେଙ୍କଟେଶ୍ୱରନ୍‌, ଚନ୍ଦେର ରାଓ ଏବଂ ସୁଧା ରଘୁରାମନ୍‌ ସହଯୋଗ କରିଥିବାବେଳେ ମୃଦଙ୍ଗରେ ଆର୍‌, ଶ୍ରୀଗଣେଶ୍‌, ଭି. ଶ୍ରୀଧରଚାର୍ଯ୍ୟ, ବଂଶୀରେ ଜି. ରଘୁରାମନ୍‌, ଭେଙ୍କଟେଶ, ଭାଓଲିନ୍‌ରେ ଶିବ, ପଖୱାଜରେ ପ୍ରଫୁଲ୍ଲ ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ।
ପର୍ଯ୍ୟାୟରେ ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟଙ୍କ ସନ୍ତୁର ବାଦନ ବିଶେଷ ଆକର୍ଷଣ ରହିଥିଲା। ଦେଶରେ ସନ୍ତୁରବାଦନ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଥିବା ପଣ୍ଡିତ ଭଟ୍ଟାଚାର୍ଯ୍ୟ ରାଗବାଗେଶ୍ରୀରେଏହି ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ। ତବଲାରେ ହିନ୍ଦୋଳ ମଜୁମଦାର ସହଯୋଗ କରିଥିଲେ।
ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାଯର୍ର୍‌ୟକ୍ରମ ପରିକଳ୍ପନା କରିଥିବାବେଳେ ଦେବୀପ୍ରସାଦ ମିଶ୍ର ପରିଚାଳନା କରୁଛନ୍ତି। ଟାଇଟଲ ସ୍ପନ୍‌ସର ଓଡ଼ିଶା ଖଣି ନିଗମ ଲିମିଟେଡ୍‌ ସହ ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଏମ୍‌ଜିଏମ୍‌ ଗ୍ରୁପ୍‌ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହାର ମିଡ଼ିଆ ପାର୍ଟନର ରହିଛି। ପ୍ରଥମଥର ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଢ଼େହଉଥିବା ଏହି ୫ ଦିନିଆ ଉତ୍ସବକୁ ଫେସ୍‌ବୁକ୍‌ ଲାଇଭ୍‌ ଏବଂ ୟୁଟୁବ୍‌ରେ ଦେଖିହେବ।

Share