ବିଜେଡି କର୍ପୋରେଟରଙ୍କୁ ଦଳୀୟ କଟକଣା

ଭୁବନେଶ୍ୱର, ୫।୭ (ବନ୍ଦନା ସେଠୀ):ଭୁବନେଶ୍ୱର ମହାନଗର ନିଗମ ବିଜେଡିରେ ଫାଟ ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଏହାକୁ ନେଇ ବିଜେଡି କର୍ପୋରେଟରଙ୍କ ବୈଠକ ଏବଂ ପରସ୍ପରକୁ ଆରୋପ ପ୍ରତ୍ୟାରୋପ ପରେ ଦଳ ପକ୍ଷରୁ କଟକଣା ଜାରି ହୋଇଛି। ଏଣିକି ଦଳର ବିନା ଅନୁମତିରେ କୌଣସି କର୍ପୋରେଟର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିପାରିବେ ନାହିଁ। ଏନେଇ ଗୁରୁବାର ବିଜେଡିର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ତାଗିଦା କରିଛନ୍ତି। ବୁଧବାର ବିଧାୟକ ପ୍ରତାପ ଦେବଙ୍କ ଘରେ ବୈଠକ ବସିଥିବାବେଳେ ସେଠାରୁ ବାହାରି କର୍ପୋରେଟର ଅମରେଶ ଜେନା ବିଜେଡିରେ ବିଭୀଷଣ ଥିବା ମନ୍ତବ୍ୟ ଦେଇଥିଲେ। ଅନ୍ୟପଟେ ସ୍ଥାନୀୟ ଏକ ହୋଟେଲରେ ପ୍ରାୟ ୨୫ଜଣ କର୍ପୋରେଟର ଏକାଠି ହୋଇ ବିଜେଡିର ସମସ୍ତ କର୍ପୋରେଟର ଏକାଠି ଥିବା କଥା କହିଥିଲେ। ଏଥିସହ ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିଥିଲେ। ଏହାକୁ ନେଇ ଦଳ ମଧ୍ୟରେ କନ୍ଦଳ ରହିଥିବା ଏବଂ ବିଜେଡି ଭାଙ୍ଗିଯିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିଲା। ତେଣୁ ଏହି ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ଦଳ ପକ୍ଷରୁ ଏଭଳି ଅଙ୍କୁଶ ଲଗାଯାଇଛି। ତେବେ ଦଳର ଜିଲା ସଭାପତିଙ୍କ ଏଭଳି କଟକଣା ଜାରିକୁ ନେଇ କେତେଜଣ ବିଜେଡି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧୫ରୁ ଊର୍ଦ୍ଧ୍ୱ ଦିନ ହେବ ସମ୍ପୃକ୍ତ ଦୁଇଜଣ କର୍ପୋରେଟର ଦଳର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକଙ୍କ ନାମରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଆସୁଛନ୍ତି। ଏଥିସହ ଦଳର କେତେଜଣ କର୍ପୋରେଟର ଭାଜପାକୁ ଯିବାକୁ ଚାହୁଁଥିବା ଭଳି ଅଭିଯୋଗ ମଧ୍ୟ କରୁଛନ୍ତି। ସେତେବେଳେ ଦଳ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ମାତ୍ର ଦଳର ସମସ୍ତ କର୍ପୋରେଟର ଏକାଠି ଅଛନ୍ତି ଜଣାଇବା ପାଇଁ କରାଯାଇଥିବା ବୈଠକ ପରେ ଏଭଳି ନିର୍ଦ୍ଦେଶ ମିଳିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ସେମାନେ କହିଛନ୍ତି।