ପୃଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଧାରଣ କରିଥିବା ୫୦ରୁ ଅଧିକ ଦେଶର ଜାତୀୟ ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି। ସେଥିମଧ୍ୟରେ ରୁଷିଆଠାରୁ ଆରମ୍ଭକରି ଆମେରିକା, ବ୍ରିଟେନ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ର ରହିଛନ୍ତି। ଇତିମଧ୍ୟରେ ପାକିସ୍ତାନର ୩୩୬ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିର ୨୬୬ ଆସନ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନ ଶେଷ ହୋଇଛି। ସଦ୍ୟ ଘୋଷଣା କ୍ରମେ କୌଣସି ରାଜନୈତିକ ଦଳକୁ ସେଠାରେ ସଂଖ୍ୟାଗରିଷ୍ଠତା ମିଳିନାହିଁ। ସେଥିପାଇଁ ଦେଶରେ କ୍ଷମତାଶାଳୀ କୁହାଯାଉଥିବା ସେନା ମିଳିତ ସରକାର ଗଢ଼ିବା ପାଇଁ ଆହ୍ବାନ ଦେଇଛି।
ଆଲୋଚନା ହେଉଛି, ସେନା ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ କରି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ପାକିସ୍ତାନ ମୁସ୍ଲିମ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍) ଦଳକୁ ବିଜୟ କରିବା ଲାଗି ଯେତେ ଫନ୍ଦିଫିକର କରିଥିଲା ସେସବୁ ଅସଫଳ ହୋଇଛି। ଫଳ ଘୋଷଣାର ପ୍ରାରମ୍ଭିକ ଅବସ୍ଥାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍ (ପିଟିଆଇ) ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଅନେକ ଆସନରେ ବିଜୟ ହୋଇଥିବା ଘୋଷଣା ହୋଇଥିଲା। ତେଣୁ ନିର୍ବାଚନ କର୍ତ୍ତୃପକ୍ଷ ଫଳାଫଳ ଘୋଷଣା ଉପରେ ସାମୟିକ ବିରତି ନେଇଥିଲେ। ତେବେ ୧୧ ଫେବୃୟାରୀରେ ବିଧିବଦ୍ଧ ଘୋଷଣା ହୋଇଥିବା ତଥ୍ୟ ଅନୁଯାୟୀ ୨୬୬ ଆସନ ମଧ୍ୟରୁ ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ୧୦୧ ଆସନରେ ବିଜୟୀ ହୋଇଥିବା ବେଳେ ପିଏମ୍ଏଲ୍-ଏନ୍ ୭୫, ବିଲାଓ୍ବଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୪, ମୁତ୍ତାହିଦା କ୍ୱାମି ମୁଭ୍ମେଣ୍ଟ (ଏମ୍କ୍ୟୁଏମ୍) ୧୭ ଆସନ ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପିଟିଆଇରୁ ପ୍ରାର୍ଥୀ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଇମ୍ରାନ୍ଙ୍କ ଦଳର ଅନେକ ନେତା ସ୍ବାଧୀନ ଭାବେ ଲଢ଼ିଥିଲେ। ପାକିସ୍ତାନ ନାଗରିକ ସେମାନଙ୍କୁ ଅଧିକ ଭୋଟ ଦେଇଥିବାରୁ ଇମ୍ରାନ୍ଙ୍କ ପ୍ରତି ସମର୍ଥନ ବେଶି ରହିଥିବା ପ୍ରତୀୟମାନ ହୋଇଛି। ଅର୍ଥାତ୍ ସାମରିକ ଶାସନ ଚାପରେ ନୁହେଁ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସେମାନେ ଅପଣାଇବାକୁ ଚାହିଁଥାଇପାରନ୍ତି। ଏବେ ଶୁଣିବାକୁ ମିଳୁଛି ପିଏମ୍ଏଲ-ଏନ୍ ଏବଂ ପିପିପି ମିଶି ଅନ୍ୟ ଛୋଟ ଦଳରୁ କିଛି ଆସନ ଆଣି ସରକାର ଗଠନ ପାଇଁ ଉଦ୍ୟମ କରୁଛନ୍ତି। ବହୁ ଜାଗାରେ ବୁଥ୍ ରିଗିଂ ହୋଇଥିବା ଏପରିକି ସେନାର କିଛି ସଦସ୍ୟ ବାଲଟ୍ ପେପରରେ ଷ୍ଟାମ୍ପ୍ ବାଡ଼ଉଥିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନ ଏବେ ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା, ସବୁ ବିଷୟରେ ସେନାର ସମ୍ପୂର୍ଣ୍ଣ ହସ୍ତକ୍ଷେପ ଓ ନିର୍ବାଚନରେ ସ୍ବଚ୍ଛତା ବଜାୟ ନ ରହିବା ଆଦି କାରଣରୁ ସେଠାରେ ଅରାଜକତା ଭଳି ସ୍ଥିତି ଦେଖାଦେଇଛି। ଏଭଳି ସ୍ଥଳେ ବିଲାଓ୍ବଲ କିଙ୍ଗ୍ ହୋଇପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ୁଛି। ରାଜନୈତିକ ସମୀକରଣ ଦେଖିଲେ ଇମ୍ରାନ୍ ଓ ନଓ୍ବାଜଙ୍କ ଦଳ ଅଧିକ ଆସନ ଅକ୍ତିଆର କରିଥିଲେ ମଧ୍ୟ କେହି ଏକାକୀ ସରକାର ଗଢ଼ିବା ସମ୍ଭବ ନୁହେଁ। ତେଣୁ ଉଭୟଙ୍କୁ ବିଲାଓ୍ବଲ ଭୁଟ୍ଟୋଙ୍କ ସାହାରା ନେବାକୁ ପଡ଼ିବ। ଯଦି ଝୁଲା ସରକାର ହୁଏ, ଦୁଇଟି ବଡ଼ ଦଳ ପରସ୍ପରକୁ କ୍ଷମତାରୁ ଦୂରେଇ ରଖିବାକୁ ଯାଇ ବିଲାଓ୍ବଲଙ୍କୁ ପ୍ରଧାନମନ୍ତ୍ରୀ ଆସନ ଯାଚିପାରନ୍ତି।
ପାକିସ୍ତାନର ୭୬ ବର୍ଷର ଇତିହାସ ଦେଖିଲେ ସେଠାରେ ସେନା ଅନେକ ସମୟରେ କ୍ଷମତାଶାଳୀ ରହିଆସିଛି। ସାମରିକ ବିଦ୍ରୋହ ଜରିଆରେ ଶେଷ ଥର ପାଇଁ ଏହା ୧୯୯୯ରେ ନଓ୍ବାଜ ଶରିଫ୍ଙ୍କ ସରକାରକୁ ଗାଦିଚ୍ୟୁତ କରିଦେଇଥିଲା। କିନ୍ତୁ ଚଳିତ ନିର୍ବାଚନକୁ ଦେଖିଲେ ସେନାର ହସ୍ତକ୍ଷେପ ଥିବା ସତ୍ତ୍ୱେ ସାଧାରଣ ନାଗରିକ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେଇ ସେମାନଙ୍କ କ୍ରୋଧ ପ୍ରକଟ କରିଥିବା କୁହାଯାଉଛି। ଯେଉଁଭଳି ଭାବେ ଇମ୍ରାନ୍ ଖାନ୍ଙ୍କୁ ହଇରାଣ କରାଯାଇ ଜେଲରେ ଭର୍ତ୍ତି କରାଯାଇଛି, ତାହାକୁ ପାକିସ୍ତାନ ସମେତ ଅନ୍ତର୍ଜାତୀୟ ଗଣମାଧ୍ୟମ ନିନ୍ଦା କରିଛନ୍ତି। ଏଭଳି ସ୍ଥଳେ ପାକିସ୍ତାନରେ ସେନାର ହସ୍ତକ୍ଷେପ ବନ୍ଦ ହେବ ନାହିଁ, କିଛି ପରିମାଣରେ ହ୍ରାସ ପାଇପାରେ ବୋଲି କୁହାଯାଉଛି। ଦେଶ ଏକ ଅସ୍ବାଭାବିକ ସ୍ଥିତି ଦେଇ ଗତି କରୁଥିବା ବେଳେ ସେନା ରାଜନୈତିକ ଦଳଗୁଡ଼ିକୁ ପରିପକ୍ୱ ଓ ଏକତା ବଜାୟ ରଖିବାକୁ ଆହ୍ବାନ ଦେଇଛି। ଏଥିରୁ ବୁଝିବାକୁ ହେବ ଯେ, ଏବର ସ୍ଥିତି ଦେଖି ସେନା ମଧ୍ୟ ଥକି ଗଲାଣି। ଗଣତନ୍ତ୍ରକୁ ଅନୁସରଣ କରା ନ ଗଲେ ଦେଶରେ ଅରାଜକତା ବଢ଼ିବ। କାରଣ ଲୋକମତକୁ ଚାପି ଦେଲେ ତାହା ଦୀର୍ଘସମୟ ଦବି ରହିପାରିବ ନାହିଁ ବୋଲି ପାକିସ୍ତାନ ସେନା ବୁଝିଥାଇପାରେ। ସେଠାକାର ଅର୍ଥନୀତିକୁ ଦେଖିଲେ ଏକ ମିଳିତ ସରକାର ଗଣତନ୍ତ୍ରକୁ ଫେରାଇ ଆଣିବା ସହିତ ଲୋକଙ୍କ ବିଶ୍ୱାସ ନିଜ ଦେଶ ଉପରେ ଦୃଢ଼ୀଭୂତ କରିପାରେ। ହୁଏତ ସେଭଳି ସକାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇପାରିଲେ ପାକିସ୍ତାନର ଉନ୍ନତି ଘଟିପାରେ।