ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଲାଓ୍ବଲଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ: ପାକିସ୍ତାନ ଗଣମାଧ୍ୟମର ଦାବି…

ଇସଲାମାବାଦ,୨୪।୧ : ପାକିସ୍ତାନର ଅର୍ଥନୈତିକ ସଙ୍କଟ ଜାରି ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିକଟରେ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଥିଲେ। ତେବେ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏବେ ପାକିସ୍ତାନୀ ଗଣମାଧ୍ୟମରୁ ଏକ ବଡ ଖବର ଆସୁଛି। ପାକିସ୍ତାନର ଖବରକାଗଜ ଦ ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ଶାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଏବଂ ପାକିସ୍ତାନର ପ୍ରଧାନ ବିଚାରପତି ଉମର ଆତ୍ତା ବନ୍ଦିଆଲଙ୍କୁ ନିମନ୍ତ୍ରଣ କରାଯାଇଛି।

ଯଦି ପାକିସ୍ତାନୀ ଗଣମାଧ୍ୟମର ଏହି ରିପୋର୍ଟ ସଠିକ ହୋଇଥାଏ ତେବେ ଏହି ନିମନ୍ତ୍ରଣ ଭାରତରୁ ପଠାଯାଇଛି । ବିଲାୱଲ ଭୁଟ୍ଟୋ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ନିଜ ଦେଶରେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ବାସ୍ତବରେ ମିଳିତ ଜାତିସଂଘର ବୈଠକରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ ଆତଙ୍କବାଦ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ବିଲାୱଲ ମୋଦିଙ୍କ ଉପରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ।

ସାଂଘାଇ ସହଯୋଗ ସଂଗଠନ ହେଉଛି ଏକ ଶକ୍ତିଶାଳୀ ଫୋରମ। ରୁଷିଆ, ଚାଇନା, ଭାରତ, ପାକିସ୍ଥାନ,ଇରାନ ସହିତ ମଧ୍ୟ ଏସିଆର ଦେଶ ଅନ୍ତର୍ଭୁକ୍ତ। ଏହାର ଅଧ୍ୟକ୍ଷ ବର୍ତ୍ତମାନ ଭାରତ ଅଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଏହାର ବୈଠକ ଅନୁଷ୍ଠିତ ହେବ। ଏଥିରେ ସଦସ୍ୟ ରାଷ୍ଟ୍ରର ପ୍ରଧାନ ବିଚାରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ହେବ।

ଏକ୍ସପ୍ରେସ ଟ୍ରିବ୍ୟୁନ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ପ୍ରଧାନ ବିଚାରପତି ନିଜେ ଏଥିରେ ଯୋଗଦେବେ ନା ପ୍ରତିନିଧୀମାନଙ୍କୁ ଏହି ସଭାଗୁଡ଼ିକରେ ଯୋଗଦେବାକୁ ପଠାଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଥାଉ କି, ପାକିସ୍ତାନ ଯେପରି ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହୀ ରହିଛି ଏପରିସ୍ଥଳେ ଏତେ ବଡ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ଯଦି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରନ୍ତି, ତେବେ ବହୁ ବର୍ଷ ପରେ ଏହା ପାକିସ୍ତାନର ଜଣେ ଉଚ୍ଚ ସ୍ତରୀୟ ନେତାଙ୍କ ଗସ୍ତ ହେବ।

Share