ବିଲ୍‌ ଗେଟସ୍‌-ଜେଫ୍‌ ବେଜୋସ୍‌-ଏଲନ ମସ୍କ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌

ଓ୍ବାଶିଂଟନ, ୧୬।୭: ବିଲ୍‌ ଗେଟସ୍‌,ଜେଫ୍‌ ବେଜୋସ୍‌ ଏବଂ ଏଲନ ମସ୍କ୍‌ଙ୍କ ସମେତ ବହୁ ଶିଳ୍ପପତି ତଥା ରାଜନେତାଙ୍କ ଟୁଇଟର ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏହାକୁ କିଙ୍ଗ୍‌ ବିଟ୍‌କ୍ୱାଇନ୍‌ ସ୍କାମ୍‌ କୁହାଯାଉଛି। ଏସବୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଏହା ସହାୟତାରେ ହ୍ୟାକର ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ ପାଇଁ ପୋଷ୍ଟ ଶେୟାର କରି ଅନୁରୋଧ କରିଥିବା ଅଭିଯୋଗ ହୋଇଛି। ବିଲ୍‌ ଗେଟସ୍‌ଙ୍କ ଆକାଉଣ୍ଟ୍‌ର ଏକ ପୋଷ୍ଟରେ କୁହାଯାଇଛି ଯେ, ମତେ ସମାଜ ଲାଗି ଅର୍ଥ ବିନିଯୋଗ ପାଇଁ ପରାମର୍ଶ ଦେଇଆସୁଛନ୍ତି। ଏବେ ସମାଜଠାରୁ ମୁଁ ନେବାର ସମୟ ଆସିଛି। ଆପଣ ମୋ ପାଖକୁ ଏକ ହଜାର ଡଲାର ପଠାନ୍ତୁ, ମୁଁ ଆପଣଙ୍କୁ ୨ ହଜାର ଡଲାର ଦେବି। ସେହିପରି ଟେସ୍ଲା ଏବଂ ସ୍ପେସ୍‌ ଏକ୍ସ୍‌ର ମୁଖ୍ୟ ଏଲନ ମସ୍କ୍‌ଙ୍କ ଟୁଇଟର ପୋଷ୍ଟରେ କୁହାଯାଇଛି ଯେ, ଏକଘଣ୍ଟାରେ ବିଟ୍‌କ୍ୱାଇନ୍‌କୁ ପଠାଯାଇଥିବା ଟଙ୍କା ଦୁଇଗୁଣା କରି ଫେରାଇ ଦିଆଯିବ। ଲୋକଙ୍କଠାରୁ ଏଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେକ୍‌ ଆକାଉଣ୍ଟ ମାଧ୍ୟମରେ ହ୍ୟାକର ଟଙ୍କା ଲୁଟ କରୁଥିବା କୁହାଯାଉଛି। କିଛି ଘଣ୍ଟା ମଧ୍ୟରେ ହ୍ୟାକରଙ୍କ ଆକାଉଣ୍ଟ୍‌କୁ ଲୋକେ ଏକ ଲକ୍ଷ ଡଲାରରୁ ଅଧିକ ପଠାଇଥିବା କୁହାଯାଉଛି। ହ୍ୟାକର ଆମେରିକାର ପ୍ରତିଷ୍ଠିତ ର଼୍ୟାପର କାନୟେ ଓ୍ବେଷ୍ଟ୍‌, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଟୁଇଟର ଅକାଉଣ୍ଟକୁ ମଧ୍ୟ ହ୍ୟାକ୍‌ କରିଥିବା କୁହାଯାଉଛି। ହ୍ୟାକିଂ ପରେ ଟୁଇଟର ଡାଉନ୍‌ ହୋଇଯାଇଥିବା କେତେକ ୟୁଜର କହିଛନ୍ତି।

Share