ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍‌ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍‌ ଗେଟ୍‌ସ, କାରଣ ଜାଣିଲେ…

ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍‌ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍‌ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ କମିବ। ଏହାକୁ ନେଇ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରସ୍ତୁତି ହାର୍ଭାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ କରୁଛନ୍ତି। ଏଥିପାଇଁ ବିଲ୍‌ ଗେଟ୍‌ସ ୟୁନିଭରସିଟିକୁ ୩ ମିଲିୟନ ଡଲାର ଅର୍ଥାତ୍‌ ୨୧.୭୭ କୋଟି ଟଙ୍କା ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହା ଉପରେ ପରୀକ୍ଷଣ କରାଯାଉଛି। ହାର୍ଭାର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଏକ ବଡ଼ ବେଲୁନରେ ୨ କିଲୋଗ୍ରାମ ଚକ୍‌ ଗୁଣ୍ଡ ସ୍ବିଡେନର କିରୁନା ସହର ଉପରୁ ପୃଥିବୀ ଉପରକୁ ଛାଡ଼ିବେ। ଏହି ଗୁଣ୍ଡ ପୃଥିବୀ ପୃଷ୍ଠରୁ ୧୯.୩୬କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଟୋସ୍ପେୟରରେ ଛଡ଼ାଯିବ। ଏଥରୁ ଜଣାପଡ଼ିବ କି ଏତିକି ଚକ୍‌ ଗୁଣ୍ଡରେ ସୂର୍ଯ୍ୟଙ୍କ କେତେ କିରଣ ପ୍ରତିଫଳିତ ହେଉଛି। କେତେ କିରଣ ପୃଥିବୀ ପୃଷ୍ଠରେ ପଡୁଛି। ଏହା ଦ୍ୱାରା ପୃଥିବୀ କେତେ ପରିମାଣର ଥଣ୍ଡା ହେଉଛି ତାହା ଜଣାପଡ଼ିବ।

ବିଲ୍‌ ଗେଟ୍‌ସଙ୍କ ଏହି ଧାରଣାକୁ ଅନେକ ବୈଜ୍ଞାନିକ ଖରାପ ବୋଲି କହୁଛନ୍ତି। ବୈଜ୍ଞାନିକଙ୍କ ମତରେ ଏପରି କରାଯିବା ଦ୍ୱାରା ପୃଥିବୀର ଜଳବାୟୁରେ ଅନେକ ବିପର୍ଯ୍ୟୟ ଦେଖାଦେବ। ଜିଓ-ଇଞ୍ଜିନିୟରିଂ ପୃଥିବୀ ପାଇଁ କୌଣସି ଦିଗରୁ ଭଲ ନୁହେଁ। କିନ୍ତୁ ସ୍ବିଡେନର କିରୁନା ସହରରେ ଏହି ପ୍ରକଳ୍ପର ପରୀକ୍ଷଣ ଚାଲିଛି। ଏହି ପରୀକ୍ଷା ଗ୍ରୀଷ୍ମ ଋତୁର ଶେଷ ପର୍ଯ୍ୟନ୍ତ ଚାଲିବ।

Share