ବିଲିୟନେୟାର ଏଲିଜାବେଥ୍‌ ଦୋଷୀ

ସାନ୍‌ ଫ୍ରାନ୍ସିସ୍‌କୋ, ୫ା୧: ଆମେରିକୀୟ ହେଲ୍‌ଥକେୟାର କମ୍ପାନୀ ଥେରାନୋସ୍‌ର ପ୍ରତିଷ୍ଠାତା ତଥା ଯୁବ ବିଲିୟନେୟାର ଏଲିଜାବେଥ୍‌ ହୋମସ୍‌ ନିବେଶକଙ୍କୁ ଠକିବା ମାମଲାରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶରୀରରେ ଥିବା ସମସ୍ତ ରୋଗର ଗମ୍ଭୀରତା ଜାଣିବା ନିମନ୍ତେ ରକ୍ତ ପରୀକ୍ଷା ପାଇଁ ଏକ ନକଲି ଡିଭାଇସ୍‌ ବିକଶିତ କରି ସେ ନିବେଶକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା। ୩୭ ବର୍ଷୀୟା ଏଲିଜାବେଥ୍‌ ତାଙ୍କ ନିବେଶକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇଥିଲେ। ତାଙ୍କର ଷ୍ଟାର୍ଟଅପ୍‌ କମ୍ପାନୀ ଥେରାନୋସ୍‌ ବିକଶିତ କରିଥିବା ରକ୍ତ ପରୀକ୍ଷା ଉପକରଣ ମାତ୍ର କିଛି ବୁନ୍ଦା ରକ୍ତ ଟେଷ୍ଟ କରି ଶରୀରର ସମସ୍ତ ରୋଗ ସମ୍ପର୍କରେ ଜଣାଇପାରିବ ବୋଲି ସେ କହିଥିଲେ। ଏପରି ଉପକରଣ ଏବେ ସୁଦ୍ଧା ବିକଶିତ ହୋଇ ନ ଥିବାରୁ ନିବେଶକମାନେ ତାଙ୍କ କମ୍ପାନୀରେ ଅର୍ଥ ଲଗାଇଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମରେ ଥିବା ପ୍ରତ୍ୟେକ ମାମଲାରେ ଏବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଏଲିଜାବେଥ୍‌ ଆପଲ୍‌ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ପରି ଏକ ଗମ୍ଭୀର ଶବ୍ଦରେ କଥା ପାଇଁ ମଧ୍ୟ ବେଶ୍‌ ପରିଚିତ ଥିଲେ। ତେବେ ଏପରି କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ସେ କଥାହେବା ବେଳେ ନିର୍ଦ୍ଦିଷ୍ଟ ଡିଭାଇସ୍‌ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି।
ଏଲିଜାବେଥ୍‌ ଥେରୋନୋସ୍‌ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଙ୍କ କମ୍ପାନୀର ମୂଲ୍ୟ ୯ ବିଲିୟନ ଡଲାରକୁ ମଧ୍ୟ ଛୁଇଁଥିଲା। ୨୦୧୫ରେ ତାଙ୍କ ନକଲି ଡିଭାଇସ୍‌ ଏବଂ ନିବେଶକଙ୍କୁ ଠକେଇ ମାମଲା ସାମ୍‌ନାକୁ ଆସିଥିଲା।

Share