ଆଲିବାବା ଗ୍ରୁପ୍‌ର ମାଲିକ ଜ୍ୟାକ୍‌ ମା ନିଖୋଜ!

ବେଜିଂ,୪।୧: ଚାଇନା ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ଗତ ଦୁଇ ମାସ ହେବ ନିଖୋଜ ଥିବା ସନ୍ଦେହ କରାଯାଉଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଟାର୍ଗେଟର ଶିକାର ହେବା ପରଠାରୁ ସେ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ହାଜର ହୋଇନାହାଁନ୍ତି। ଏହି ସମୟରେ ଜ୍ୟାକ ମା’ଙ୍କ ନିଖୋଜ ହେବା ପରେ ଅନେକ ସନ୍ଦେହ ମଧ୍ୟ ପ୍ରକାଶ ପାଇଛି। ଜ୍ୟାକ ମା ପ୍ରାୟତଃ ଚାଇନାର ସର୍ବସାଧାରଣ କାର୍ଯ୍ୟକ୍ରମରେ ବକ୍ତା ଭାବରେ ଉପସ୍ଥିତ ରୁହନ୍ତି। ତାଙ୍କର ପ୍ରେରଣାଦାୟକ ଭାଷଣ ପାଇଁ ଯୁବତୀଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଅଟନ୍ତି। ଗତ ବର୍ଷ ଅକ୍ଟୋବରରେ ସାଂଘାଇରେ ଏକ କାର୍ଯ୍ୟକ୍ରମରେ ଚାଇନାର ଆର୍ଥିକ ନିୟାମକ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସେ ତୀବ୍ର ସମାଲୋଚନା କରିଥିଲେ। ଜ୍ୟାକ ମା ସରକାରଙ୍କୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇଥିଲେ। ଏହାସହ ସେ ଗ୍ଲୋବାଲ ବ୍ୟାଙ୍କିଙ୍ଗ ନିୟମକୁ ‘ବୃଦ୍ଧଲୋକଙ୍କ କ୍ଲବ’ ବୋଲି କହିଥିଲେ। ଏହି ଭାଷଣ ପରେ ଚାଇନା ଶାସକ କମ୍ୟୁନିଷ୍ଟ ପାର୍ଟି ଏହାକୁ ବିରୋଧ କରିଥିଲା। ଏହା ପରେ ଜ୍ୟାକ ମାଙ୍କର ବ୍ୟବସାୟ ବିରୋଧରେ ବିଭିନ୍ନ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଚାଇନାର ଅଧିକାରୀମାନେ ଗତ ବର୍ଷ ନଭେମ୍ବରରେ ଜ୍ୟାକ ମାଙ୍କୁ ଏକ ଶକ୍ତ ଧକ୍କା ଦେଇ ତାଙ୍କ ଆଣ୍ଟ ଗ୍ରୁପ୍‌ର ୩୭ ବିଲିୟନ ଡଲାରର ଆଇପିଓକୁ ସ୍ଥଗିତ ରଖିଥିଲେ।

Share