ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ ଗ୍ଲୋବାଲ ବଏଲିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଉଦାହରଣ ସ୍ବରପ ଚଳିତ ବର୍ଷର ଜୁଲାଇ ବିଶ୍ୱର ସବୁଠାରୁ ଉତ୍ତପ୍ତ ମାସ ଭାବେ ପରିଗଣିତ ହୋଇଛି। ବିଶ୍ୱତାପନ କେବଳ ଜନସମାଜ ଉପରେ ପ୍ରଭାବ ପକାଇଛି ତାହା ନୁହେଁ ଜୀବଜନ୍ତୁ ଯଥା ସ୍ଥଳଚର, ଜଳଚର ଓ ଉଭୟଚରଙ୍କ ଠାରେ ମଧ୍ୟ ସମାନ ପ୍ରଭାବ ପକାଇଛି। ଆମେରିକାର ଆଲାସ୍କା ସମୁଦ୍ରରୁ କୋଟି କୋଟି ସ୍ନୋ କ୍ରାବ(ବରଫରେ ରହୁଥିବା କଙ୍କଡା) ହଠାତ୍‌ ଅଦୃଶ୍ୟ ହୋଇଯିବାର ଉଦାହରଣ ସମସ୍ତଙ୍କୁ ବିଶ୍ୱତାପନ ନେଇ ଚେତାଇ ଦେଇଛି।

୨୦୨୦ ପରଠାରୁ ଆଲାସ୍କାର ବେରିଙ୍ଗ ସାଗରରୁ ସ୍ନୋ କ୍ରାବ ଅଦୃଶ୍ୟ ହୋଇଯାଇଛନ୍ତି। ବୈଜ୍ଞାନିକମାନେ ଏହାର କାରଣ ଜାଣିବାକୁ ଯାଇ ଜାଣିପାରିଥିଲେ ଯେ, ସମୁଦ୍ରରେ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ କଙ୍କଡାଙ୍କର ମୃତ୍ୟୁ ହୋଇଛି। ଅଧ୍ୟୟନ ଅନୁଯାୟୀ, ତୁଷାର କଙ୍କଡା ବରଫାବୃତ୍ତ ପାଣିରେ ବସବାସ କରିଥାନ୍ତି। ଏହି କଙ୍କଡା ୨ ଡିଗ୍ରୀ ସେଲସିୟସ ଥଣ୍ଡା ପାଣିରେ ପଞ୍ଚିପାରନ୍ତି। ଏଥିସହ ସେମାନଙ୍କ ଅଧିକରୁ ଅଧିକ ୧୨ ଡିଗ୍ରୀ ସେଲସିୟସ ଥଣ୍ଡା ପାଣିରେ ବଞ୍ଚିବାର କ୍ଷମତା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣି ଉଷ୍ମ ହେବା କାରଣରୁ ସେମାନଙ୍କ ମେଟାବୋଲିଜିମ ଉପରେ ବିପଦ ସୃଷ୍ଟି ହୋଇଛି। ଯାହାଯୋଗୁ କୋଟି କୋଟି ସ୍ନୋ କ୍ରାବ ମୃତ୍ୟୁମୁଖରେ ପଡିଛନ୍ତି।

Share