ସୁଇସ୍‌ ବ୍ୟାଙ୍କରେ କୋଟି କୋଟି ଟଙ୍କା ରଖିଛନ୍ତି ପାକିସ୍ତାନୀ ଜେନେରାଲ

ଇସଲାମାବାଦ,୨୨।୨: ଏକ ଅଗ୍ରଣୀ ସୁଇସ୍‌ ବ୍ୟାଙ୍କ୍‌ର ୬୦୦ ଆକାଉଣ୍ଟ ସହ ଜଡ଼ିତ କିଛି ତଥ୍ୟ ଲିକ୍‌ ହୋଇଯାଇଛି। ସେହି ସମସ୍ତ ଆକାଉଣ୍ଟ ୧୪୦୦ ପାକିସ୍ତାନ ନାଗରିକଙ୍କର ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। କ୍ରେଡିଟ୍‌ ସୁଇଜରୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ, ଆକାଉଣ୍ଟ ଧାରୀଙ୍କ ମଧ୍ୟରେ କିଛି ରାଜନେତା, ସେନା ଅଧିକାରୀ, ପୂର୍ବତନ ଆଇଏସ୍‌ଆଇ ମୁଖ୍ୟ ଜେନେରାଲ ଅଖତର ଆବଦୁର ରେହମାନ ଖାନଙ୍କ ନାମ ରହିଛି।

ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି, ରେହମାନ ଖାନ କୋଟି କୋଟି ଟଙ୍କା ଓ ଅନ୍ୟାନ୍ୟ ଜରିଆରେ ଆମେରିକା ଏବଂ ଅନ୍ୟ ଦେଶରୁ ଆଫଗାନିସ୍ତାନରେ ସକ୍ରିୟ ଥିବା ମୁଜାହିଦିନକୁ ପଠାଇଥିଲେ। ସୋଭିଏଟ୍‌ ୟୁନିଅନ ବିରୋଧରେ ଲଢ଼େଇ ପାଇଁ ସେ ଏହି ଟଙ୍କା ଯୋଗାଉଥିଲେ।

ଆଫଗାନିସ୍ତାନରେ ରୁଷିଆର ଉପସ୍ଥିତିକୁ ବିରୋଧ କରିବା ପାଇଁ ସୌଦି ଆରବ ଓ ଆମେରିକା ମୁଜାହିଦିନ ଫାଇଟରଙ୍କୁ ଟଙ୍କା ଯୋଗାଉଥିଲେ। ଏହି ପ୍ରକ୍ରିୟାରେ ପାକିସ୍ତାନର ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ଆଇଏସ୍‌ଆଇ) ମଧ୍ୟ ଜଡ଼ିତ ଥିଲା। ସେତେବେଳେ ଆଇଏସ୍‌ଆଇର ଦାୟିତ୍ୱରେ ଥିଲେ ଅଖତର।

ପାକିସ୍ତାନୀ ନାଗରିକଙ୍କ ଆକାଉଣ୍ଟରେ ହାରାହାରି ସର୍ବାଧିକ ୪.୪୨ ନିୟୁତ ସୁଇସ୍‌ ଫ୍ରାଙ୍କ ରହିଛି ବୋଲି ଅନ୍ତର୍ଜାତୀୟ ଖବର କାଗଜରେ ଦର୍ଶାଯାଇଛି।

Share