Categories: ଜାତୀୟ

ବିଲାଓ୍ବଲ ଆତଙ୍କ ଶିଳ୍ପର ମୁଖପାତ୍ର: ଜୟଶଙ୍କର

ପାଣଜୀ, ୬ା୫: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଆତଙ୍କ ଶିଳ୍ପର ମୁଖପାତ୍ର ବୋଲି ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଆତଙ୍କ ଭିଆଉଥିବା ଅପରାଧୀ ଓ ପୀଡ଼ିତ କେବେ ହେଲେ ଆତଙ୍କବାଦ ରୋକିବା ନେଇ କରାଯାଉଥିବା ଆଲୋଚନାରେ ଏକାଠି ବସି ଭାଗ ନେଇପାରିବେ ନାହିଁ। ଗୋଆରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ରେ ଚାଲିଥିବା ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ସରିବା ପରେ ଖବରଦାତାଙ୍କୁ ପ୍ରତିକ୍ରିୟା ଦେଇ ଜୟଶଙ୍କର କହିଛନ୍ତି, ଏସ୍‌ସିଓ ସଦସ୍ୟ ରାଷ୍ଟ୍ର ଭାବେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ବୈଠକରେ ସାମିଲ ହୋଇଛନ୍ତି। ତାଙ୍କଠାରୁ ଆମେ ଅଧିକ କିଛି ଆଶା କରୁ ନାହୁଁ। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଋଣ ପାଇଁ ଏବେ ଅନ୍ୟ ପାଖରେ ହାତ ପତାଇବାକୁ ବାଧ୍ୟ ହୋଇଛି। ବୈଠକ ଅବସରରେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇ ନାହିଁ। ଅନ୍ୟପକ୍ଷେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଯୋଗାଇ ଦିଆଯାଉଥିବା ଫଣ୍ଡିଂ ଚ୍ୟାନେଲ୍‌କୁ ଜବତ କରିବାକୁ ପଡ଼ିବ ବୋଲି ବୈଠକ ଜୟଶଙ୍କର କହିଛନ୍ତି। ଏସ୍‌ସିଓ ବୈଠକରେ ଯୋଗଦେବାଲାଗି ଆସିଥିବା ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲଙ୍କୁ ଜୟଶଙ୍କର ସ୍ବାଗତ କରିଥିଲେ। ବୈଠକରେ ଯୋଗ ଦେବା ଅବସରରେ ବିଲାଓ୍ବଲ କହିଛନ୍ତି, ଆତଙ୍କବାଦ ବୈଶ୍ୱିକ ସୁରକ୍ଷା ପାଇଁ ବିପଦ। ପ୍ରତ୍ୟେକ ଲୋକଙ୍କ ସୁରକ୍ଷା ପାଇଁ ସବୁ ଦେଶ ଏକାଠି ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବା ଜରୁରୀ।

Share