Categories: ଜାତୀୟ

ବିଲ୍‌କିସ୍‌ ବଳାତ୍କାରୀ ଫେରାର

ଅହମଦାବାଦ,୧୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ। ସେମାନଙ୍କ ସମ୍ପର୍କରେ ଗୁଜରାଟର ଦାହୋଡ୍‌ ଥାନାକୁ କୌଣସି ସୂଚନା ମିଳି ନ ଥିବା ସ୍ଥାନୀୟ ଏସ୍‌ପି ବଳରାମ ମୀନା କହିଛନ୍ତି। ଶାନ୍ତିରକ୍ଷା ଲାଗି ଅପରାଧୀମାନେ ରହୁଥିବା ସିଙ୍ଗଭାଦ ତାଲୁକାରେ ସୋମବାରଠାରୁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଅପରାଧୀ ଗୋବିନ୍ଦ ନାଇଙ୍କ ବାପା ଚତୁର୍ଭାଇ ରାଭାଲ(୮୭) କୋର୍ଟ ରାୟକୁ କଂଗ୍ରେସର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସପ୍ତାହେ ପୂର୍ବରୁ ଗୋବିନ୍ଦ ଘର ଛାଡ଼ିଦେଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟତମ ଅପରାଧୀ ରାଧେଶ୍ୟାମ ଶାହ ୧୫ ମାସ ହେଲା ଘରେ ନାହାନ୍ତି। ସେ କେଉଁଠି ଅଛନ୍ତି, ଜଣା ନ ଥିବା ତାଙ୍କ ବାପା କହିଛନ୍ତି। ତେବେ ଗତ ରବିବାର ପର୍ଯ୍ୟନ୍ତ ରାଧେଶ୍ୟାମଙ୍କ ସମେତ ପ୍ରାୟ ସମସ୍ତ ଦୋଷୀ ଦେଖିବାକୁ ମିଳୁଥିଲେ ବୋଲି ସ୍ଥାନୀୟ ଦୋକାନୀ ଓ ପଡୋଶୀ ସୂଚନା ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ ସେମାନେ ଘରେ ତାଲା ପକାଇ କୁଆଡେ ପଳାଇଛନ୍ତି।
୨୦୦୨ ଗୋଧ୍ରା ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ବିଲ୍‌କିସ୍‌ ରାନ୍ଧିକପୁରାରେ ରହୁଥିବାବେଳେ ଅପରାଧୀମାନେ ସେହି ଗାଁ ଓ ପଡୋଶୀ ସିଙ୍ଗଭାଦର ବାସିନ୍ଦା। ୨୦୦୮ ଜାନୁୟାରୀ ୨୧ରେ ସିବିଆଇ ସ୍ବତନ୍ତ୍ର ଅଦାଲତ ସେମାନଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ଗୁଜରାଟ ସରକାର ସେମାନଙ୍କ କ୍ଷମା ଆବେଦନକୁ ମଞ୍ଜୁର କରି ଗତବର୍ଷ ଅଗଷ୍ଟ ୧୫ରେ ସମସ୍ତଙ୍କୁ ଜେଲରୁ ମୁକ୍ତ କରିଦେଇଥିଲେ। ଜଘନ୍ୟ ଅପରାଧ ମାମଲାରେ ଜେଲଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ ଅବଧି ପୂର୍ବରୁ ମୁକ୍ତ କରିଦେବା ଘଟଣାକୁ ସେତେବେଳେ ଦେଶବ୍ୟାପୀ ନିନ୍ଦା କରାଯାଇଥିଲା। ଏହା ନ୍ୟାୟର ଦୁରୁପଯୋଗ ବୋଲି କହି ସାମାଜିକ କର୍ମୀ, ଆଇନଜୀବୀ ଓ ସିଭିଲ୍‌ ସୋସାଇଟି ସମାଲୋଚନା କରିଥିଲେ। ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ଅପରାଧୀମାନଙ୍କୁ ମୁକ୍ତ କରିବା କ୍ଷମତା ଗୁଜରାଟ ସରକାରଙ୍କର ନାହିଁ ବୋଲି ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ସୋମବାର କହିଥିଲେ। କୋର୍ଟଙ୍କ ରାୟ ଆଳରେ ଅସାଧୁ ଉପାୟ ଅବଲମ୍ବନ କରାଯାଇ ଅପରାଧୀଙ୍କୁ ମୁକ୍ତ କରାଯାଇଥିବା ଦର୍ଶାଇ ଖଣ୍ଡୀପୀଠ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ।

Share