Categories: ଖେଳ

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍‌ ନିୟମ)କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ବାୟୋ ବବଲ୍‌ ଖେଳାଳିଙ୍କ ପାଇଁ କଷ୍ଟକର। ମାନସିକ ଭାବେ ଏହା ଖେଳାଳି ପାଇଁ ବଡ଼ ଚ୍ୟାଲେଞ୍ଜ। ତେବେ ଭାରତୀୟ ଖେଳାଳିମାନେ ଅଧିକ ସହନଶୀଳ ହୋଇଥିବାରୁ ଏହାକୁ ସଫଳତାର ସହ ସାମ୍ନା କରିପାରୁଛନ୍ତି। ବିଦେଶୀ ଖେଳାଳିଙ୍କ ତୁଳନାରେ ଦେଖିବାକୁ ଗଲେ ଭାରତୀୟମାନେ ମାନସିକ ସ୍ଥରରେ ଅଧିକ ସହନଶୀଳ ଓ ଦୃଢ଼ ବୋଲି ଗାଙ୍ଗୁଲି କହିଛନ୍ତି।

କୋଭିଡ୍‌-୧୯ ମହାମାରୀ ପୁଣିଥରେ ତା’ର ପ୍ରକୋପ ଆରମ୍ଭ କରିଥିବା ବେଳେ ବାୟୋ ବବଲ୍‌ରେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଯାଉଛି ଓ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମଧ୍ୟ ଆୟୋଜନ ହେବାକୁ ଯାଉଛି। ଖେଳାଳିମାନଙ୍କ ଜୀବନ ଏବେ ହୋଟେଲ ଓ ଷ୍ଟାଡିୟମ ମଧ୍ୟରେ ସୀମିତ ରହିବ। ଏହା କୌଣସି ଖେଳାଳିଙ୍କ ପାଇଁ ଆଦୌ ସହଜ ନୁହେଁ ବୋଲି ବିସିସିଆଇ ସଭାପତି କହିଛନ୍ତି। ବାୟୋ ବବଲ୍‌ରେ ଖେଳାଳିମାନଙ୍କ ମାନସିକ ସ୍ଥିତି ନେଇ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଚିନ୍ତାପ୍ରକଟ କରିଥିଲେ।

Share