Categories: ଜାତୀୟ

ବାୟୋମେଟ୍ରିିକ୍‌ ବ୍ୟବହାର ହୋଇପାରିବନି

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏକ ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ଏବଂ ଏହା ସହ ସଂଯୁକ୍ତ କାର୍ଯ୍ୟାଳୟଗୁଡ଼ିକରେ ଥିବା ଆଧାର ଭିତ୍ତିକ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥା ୩୧ ତାରିଖ ଯାଏ ବନ୍ଦ ରହିବ। ଏଥିସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଓ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

ସେହିପରି ଉପସଚିବ ସ୍ତରଠାରୁ କମ୍‌ ପାହ୍ୟାର ଅଫିସର ଓ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କୁ ଘରୁ ଅଫିସ କାର୍ଯ୍ୟ କରିବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଭିନ୍ନକ୍ଷମ ଓ ଗର୍ଭବତୀ ଥିବା ମହିଳା କର୍ମଚାରୀ ଅଫିସ ଆସିବେ ନାହିଁ। ଗହଳି କମାଇବା ପାଇଁ କର୍ମଚାରୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟାଳୟକୁ ଆସିବା ପାଇଁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ସେହିପରି କୌଣସି ଅଞ୍ଚଳ କୋଭିଡ୍‌ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିଲେ, ଏହା ନ ହଟିବା ପର୍ଯ୍ୟନ୍ତ ସେଠାରେ ରହୁଥିବା କର୍ମଚାରୀଙ୍କୁ ଅଫିସ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି।

Share