ବାୟୋପିକ୍‌ ନିଶାରେ ତାପସୀ

ତେଲୁଗୁ ହେଉ କି ତାମିଲ ଫିଲ୍ମରେ ତାପସୀ ପାନୁ ଜଣେ ପରିଚିତା ଅଭିନେତ୍ରୀ। ୟା ଭିତରେ ସେ ଅନେକ ମନ ପସନ୍ଦର ସିନେମାରେ ଅଭିନୟ କରିସାରିଲେଣି। ଏବେ ତାଙ୍କୁ ନେଇ ଟଲିଉଡ୍‌ରେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ସେ ଏବେ ଖୋଜାଖୋଜିରେ ବ୍ୟସ୍ତ ଅଛନ୍ତି। କେହି କେହି ହୁଏତ ଭାବୁଥିବେ ଯେ, ସେ ବୋଧହୁଏ ନୂଆ ଘର ଖୋଜୁଛନ୍ତି। ଅସଲ କଥା ସେଇଆ ନୁହେଁ। ତାପସୀ ଏବେ ଭଲ ବାୟୋପିକ୍‌ ସନ୍ଧାନରେ ଅଛନ୍ତି। ନିକଟରେ ସେ ଅଭିନୟ କରିଥିବା ବାୟୋପିକ୍‌ ‘ରଶ୍ମୀ ରକେଟ୍‌’ ହିଟ୍‌ ହେବା ପରେ ତାଙ୍କୁ ଏଭଳି ସିନେମାରେ ଅଭିନୟ କରିବା ନିଶା ଘାରିଛି। ଏ ସମ୍ପର୍କରେ ସେ କହନ୍ତି, ‘ଯାହା କହନ୍ତୁ ନା କାହିଁକି, ବାୟୋପିକ୍‌ରେ ଅଭିନୟ କରିବାର ମଜା ନିଆରା। ଏଥିରେ ଜଣେ ବ୍ୟକ୍ତିର ସଂଘର୍ଷମୟ ଜୀବନୀ ପ୍ରତିଫଳିତ ହୋଇଥାଏ। ତେଣୁ ଏବେ ମୁଁ ଭଲ ଭଲ ବାୟୋପିକ୍‌ ସନ୍ଧାନରେ ଅଛି। ସେପରି କାହାଣୀ ମିଳିଲେ ତାହାକୁ କିପରି ଚଳଚ୍ଚିତ୍ରର ରୂପ ଦିଆଯାଇପାରିବ ସେ ନେଇ ଚେଷ୍ଟା କରିବି।’ ତେବେ ଏପରି ମିଶନରେ ତାପସୀ କେତେ ସକସେସ ହେଉଛନ୍ତି ତାହା ଆଗାମୀ ସମୟ ହିଁ କହିବ।

Share