Categories: ଜାତୀୟ

ଗୋଟିଏ ଦିନ ପୂର୍ବରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେଲା ଭାଜପା

ଜୟପୁର,୨।୧୧: ଭାରତୀୟ ଜନତା ପାର୍ଟି (ଭଜେପା) ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫୮ ଜଣ ପ୍ରାର୍ଥୀଙ୍କୁ ଭାଜପା ଟିକେଟ ଦେଇଛି। ଦଳ ଖଣ୍ଡେଲାରୁ ସୁଭାଷ ମିଲ, ବଲ୍ଲଭନଗରରୁ ଉଦୟ ଲାଲ ଡାଙ୍ଗି ଏବଂ କରୌଲିରୁ ଦର୍ଶନ ସିଂ ଗୁର୍ଜରଙ୍କୁ ମନୋନୀତ କରିଛି। ଗତକାଲି ଅଥାତ୍‌ ବୁଧବାର ଏହି ୩ଜଣ ଭାଜପାରେ ଯୋଗ ଦେଇଥିଲେ ଏବଂ ଗୋଟିଏ ଦିନ ପରେ ଦଳ ସେମାନଙ୍କୁ ଟିକେଟ ଦେଇଥିଲା। ତୃତୀୟ ତାଲିକାରେ ଭାଜପା କୌଣସି ଏମପିଙ୍କୁ ସ୍ଥାନ ଦେଇନାହିଁ। ଦଳ ଜୟପୁରର ହାୱାମହଲ ଆସନରୁ ମହନ୍ତ ବାଲ ମୁକନ୍‌ନ୍ଦାଚାର୍ଯ୍ୟ ଏବଂ ସର୍ଦ୍ଦାରପୁରର ଅଶୋକ ଗେହଲୋଟଙ୍କ ବିରୋଧରେ ମହେନ୍ଦ୍ର ସିଂ ରାଠୋରଙ୍କୁ ଟିକେଟ ଦେଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଭାଜପା ଦୁଇଟି ତାଲିକା ପ୍ରକାଶ କରି ମୋଟ ୧୨୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତୃତୀୟ ତାଲିକା ପରେ ଏହା ରାଜ୍ୟର ୨୦୦ ବିଧାନସଭା ଆସନ ମଧ୍ୟରୁ ମୋଟ ୧୮୨ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୧୮ ଜଣ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Share