Categories: ଜାତୀୟ

ଜଖାଉରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ରାଜକୋଟ, ୧୪ା୬: ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ଜଖାଉ ମାଛଧରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବା ଆଶା କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଭୁଜ୍‌ ସହରରେ କାନ୍ଥ ପଡ଼ି ୪ ବର୍ଷର ଭାଇ ଓ ୬ ବର୍ଷର ଭଉଣୀ ପ୍ରାଣ ହରାଇଛନ୍ତି। ରାଜକୋଟର ଯଶଦାନ ତାଲୁକାରେ ପ୍ରବଳ ପବନ ଯୋଗୁ ଗଛ ଉପୁଡ଼ି ଏକ ସ୍କୁଟର ଉପରେ ପଡ଼ିବାରୁ ପଛ ସିଟ୍‌ରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ଆରବ ସାଗର ଭୟଙ୍କର ରୂପ ଧାରଣ କରିଛି। ଆମ୍ରେଲି, ଦେବଭୂମି ଦ୍ୱାରକା, ଜାମନଗର, କଚ୍ଛ, ପୋରବନ୍ଦର, ଗିର୍‌-ସୋମନାଥ ନିକଟରେ ବହୁ ଉଚ୍ଚା ଲହଡ଼ି ଉପକୂଳରେ ମାଡ଼ ହେଉଛି। ଲହଡ଼ି ମାଡ଼ରେ ପୋରବନ୍ଦରରେ ଥିବା ଇନ୍ଦୁରେଶ୍ୱର ମହାଦେବ ମନ୍ଦିର ପାଚେରି ଭାଙ୍ଗିଯାଇଛି। ଲଗାଣ ବର୍ଷା ଯୋଗୁ ଭେରାଭାଲ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗିର୍‌-ସୋମନାଥ ଜିଲାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଉପକୂଳ ଜିଲାର ତଳୁଆ ଅଞ୍ଚଳରୁ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି। ବାତ୍ୟା ‘ବିପର୍ଯ୍ୟୟ’ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ପବନର ବେଗ ୧୨୫ରୁ ୧୩୫ କିଲୋମିଟର ରହିବାକୁ ଥିବାବେଳେ ସର୍ବାଧିକ ୧୫୦ କିଲୋମିଟର ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି।

Share