ବିଜେଡିରେ ବିପ୍ଳବ ଜେନା

ଭୁବନେଶ୍ୱର,୧୯।୨(ସୁନିତ୍‌ ମିଶ୍ର):ଅନୁଗୋଳ ଜିଲା କଂଗ୍ରେସ ସଭାପତି ତଥା ୨୦୧୯ରେ ଅନୁଗୋଳ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନା ରବିବାର ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ହୋଇଥିବା ବିପ୍ଳବ ଜେନାଙ୍କୁ ଉପଢୌକନ ଦେଇ ପ୍ରଣବ ଓ ରଜନୀକାନ୍ତ ଦଳକୁ ସ୍ବାଗତ କରିଛନ୍ତି।
ଅବସରରେ ପ୍ରଣବ ପ୍ରକାଶ କହିଛନ୍ତି, ବିପ୍ଳବଙ୍କ ଯୋଗଦାନ ଦ୍ୱାରା ଜିଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ବିପ୍ଳବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁମାନେ ବର୍ତ୍ତମାନ ତାଙ୍କ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି, ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି। କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଦଳକୁ ଆସିନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ନିଷ୍ଠାର ସହ ତୁଲାଇବେ ା
ଦଳରେ ତାଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ, ଏବଂ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନୁଗୋଳ ଜିଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୋଳ ଜିଲା ସହପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୋଳ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଗୋଳ ଜିଲା ମହିଳା କଂଗ୍ରେସ ସଭାପତି ତପସ୍ବିନୀ ବିଶ୍ୱାଳ, ଜିଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୋଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୋଳ ଜିଲା ସଭାପତି ସୋସିଆଲ ମିଡିଆ ଆଲୋକ ଦାସ, ନାଲ୍‌କୋ ଠିକା ଶ୍ରମିକ ସମନ୍ବୟ ସମିତି ଆବାହକ ଅନିଲ ବରାଳ, ବରିଷ୍ଠ କଂଗ୍ରେସ ନେତା ସୁଜନ କୁମାର ପରିଡ଼ା, ପୂର୍ବତନ ଜିଲା କଂଗ୍ରେସ ଉପସଭାପତି ବୁଲୁ ସାହୁ ପ୍ରମୁଖ ଶତାଧିକ କର୍ମୀ ବିଜେଡିରେ ଏହି ଅବସରରେ ସାମିଲ ହୋଇଛନ୍ତି।

Share