Categories: ଜାତୀୟ

ବିପ୍ଲବ ଦେବଙ୍କ ଇସ୍ତଫା…

ଅଗରତାଲା, ୧୪।୫ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ବିପ୍ଲବ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି। ଏହା ସହିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିବା ସେ କହିଛନ୍ତି। ଯେତେବେଳେ ହାଇ କମାଣ୍ଡ ମୋତେ ଇସ୍ତଫା ଦେବାକୁ କହିଥିଲେ, ତେଣୁ ମୁଁ ଏହି ପଦକ୍ଷେପ ନେଇଛି।

ରାଜ୍ୟର ବିଧାନସଭା ନିର୍ବାଚନ ଆଗକୁ ହେବ, ମୁଁ ଏହାର ପ୍ରସ୍ତୁତିରେ ନିୟୋଜିତ ହେବି। ଜଣେ ଭାଜପା କର୍ମୀ ଭାବରେ ମୁଁ ଦଳକୁ ମଜବୁତ କରିବା ଉଦ୍ୟମ ଜାରି ରଖିବି ବୋଲି ସେ କହିଛନ୍ତି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଭୁପେନ୍ଦ୍ର ଯାଦବ ଏବଂ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ତ୍ରିପୁରାରେ ଅଛନ୍ତି। ବିପ୍ଲବ କୁମାର ଦେବଙ୍କ ସ୍ଥାନ ନେବାକୁ ନୂତନ ନେତା ଘୋଷଣା ଶନିବାର ସନ୍ଧ୍ୟାରେ ଘୋଷଣା କରାଯିବ।

ଏକ ବର୍ଷ ଧରି ବିପ୍ଲବ ଦେବଙ୍କ ବିରୋଧରେ ବହୁ ବିଧାୟକଙ୍କ ଅସନ୍ତୋଷ ବଢ଼ି ଚାଲିଥିଲା। ଗତ ବର୍ଷ ଜୁନ ମାସରେ ବିପ୍ଲବ ଦେବଙ୍କ ବିରୋଧରେ ଅଭିଯୋଗ କରିବାକୁ ବିଧାୟକଙ୍କ ଏକ ଦଳ ଦିଲ୍ଲୀ ଯାଇଥିଲେ। ତେବେ ହାଇକମାଣ୍ଡ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ବିନୋଦ ସୋନକରଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା।

୨୦୧୮ ବିଧାନସଭା ନିର୍ବାଚନରେ ମାଣିକ ସରକାରଙ୍କ କମ୍ୟୁନିଷ୍ଟ ସରକାର ହଟିବା ପରେ ଭାଜପା ରାଜ୍ୟରେ କ୍ଷମତା ହାସଲ କରିଥିଲା। ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ଶାସକ ମିଳିତ ମେଣ୍ଟରେ ୩୬ ଜଣ ଭାଜପା ବିଧାୟକଙ୍କ ସହ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି)ର ୮ ଜଣ ବିଧାୟକଙ୍କ ରହିଛନ୍ତି।

Share