କୋଲକତା,୨୫।୩:ବୀରଭୂମ ହିଂସା ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟ ସରକାର ଏଥିରେ ପଶ୍ଚିମବଙ୍ଗ ପୋଲିସ ଏହାର ଅନୁସନ୍ଧାନ କରିବାକୁ ଦାବି କରିଥିଲେ। ଏହା ସହିତ କୋର୍ଟ ସିବିଆଇକୁ ଏପ୍ରିଲ ୭ ସୁଦ୍ଧା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏବେ ପଶ୍ଚିମବଙ୍ଗ ସରକାରଙ୍କଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବ। ସୂଚନାଯୋଗ୍ୟ, ନିକଟରେ ଟିଏମ୍ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଥିଲା। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।