୮ରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର,୭ା୧(ପ୍ରମୋଦ ବହିଦାର): ପ୍ରତିବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି। ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀଙ୍କ ଗଣନା ପାଇଁ ନିଷ୍ପତ୍ତି ହୋଇଛି। ସୋମବାର ୮ ତାରିଖ ପ୍ରାତଃରୁ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶ।

ସେ କହିଲେ ଯେ, ଗତ ୨୦୨୩ ଅକ୍ଟୋବରରୁ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇସାରିଛି। ପକ୍ଷୀଗୁଡ଼ିକ ଏଠାରେ ମାର୍ଚ୍ଚ ପର୍ଯ୍ୟନ୍ତ ରହି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରନ୍ତି। ଏଥିରେ ସାଇବେରିଆ, କାସ୍ପିଆନ ହ୍ରଦ, ବୈକାଲ ହ୍ରଦ, ମଙ୍ଗୋଲିଆ ତଥା ମଧ୍ୟପ୍ରାଚ୍ୟ ଏସିଆ ଓ ହିମାଳୟ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀ ରହିଥାଆନ୍ତି। ତେବେ ଗଣନା ପରେ ସେମାନଙ୍କ ପ୍ରଜାତିକୁ ଚିହ୍ନଟ କରାଯାଇ ପାରିବ ବୋଲି ସେ କହିଛନ୍ତି।

ପକ୍ଷୀ ଗଣନା ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ହୀରାକୁଦ ଜଳଭଣ୍ଡାର ଝାରସୁଗୁଡ଼ା ଓ ବରଗଡ଼ ଜିଲା ତଥା ଛତିଶଗଡ଼ ସୀମା ସଂଲଗ୍ନ ପ୍ରାୟ ୫ ଶହ ବର୍ଗ କିଲୋମିଟର ଅଞ୍ଚଳ ସହିତ ପାୱାର କେନାଲରେ ପକ୍ଷୀଗଣନା କରାଯିବ। ପକ୍ଷୀ ଗଣନା ପାଇଁ ଧାର୍ଯ୍ୟ ସମଗ୍ର ଅଞ୍ଚଳକୁ ୧୦ରୁ ୬୦ ବର୍ଗ କିଲୋମିଟର ବିଶିଷ୍ଟ ୨୧ଟି ପୃଥକ ସେକ୍ଟରରେ ଭାଗ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହିତ ମୋଟ୍‌ ୭୮ଜଣ ବନ ବିଭାଗ କର୍ମଚାରୀ ଅଂଶଗ୍ରହଣ କରିବେ।

Share