Categories: ଜାତୀୟ

ଦିଲ୍ଲୀ ସମେତ ୧୦ ରାଜ୍ୟରେ ବାର୍ଡ ଫ୍ଲୁ

ନୂଆଦିଲ୍ଲୀ, ୧୨।୧: କରୋନା ମହାମାରୀ ଦୂର ହୋଇ ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ୧୦ଟି ରାଜ୍ୟକୁ ବ୍ୟାପି ସାରିଲାଣି। ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିୟାଣା ଓ ଗୁଜରାଟରେ ବାର୍ଡ ଫ୍ଲୁ ହୋଇଥିବା ସରକାର ସ୍ପଷ୍ଟ କରିଥିବାବେଳେ ଏବେ ଏହା ଦିଲ୍ଲୀ ସମେତ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡକୁ ବ୍ୟାପିଛି। ଫଳରେ ବହୁସଂଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀ ପ୍ରତିଦିନ ପ୍ରାଣ ହରାଉଛନ୍ତି। ଭୋପାଳ ଲାବରେଟୋରୀକୁ ଦିଲ୍ଲୀରୁ ପଠାଯାଇଥିବା ନମୁନାଗୁଡ଼ିକ ବାର୍ଡ ଫ୍ଲୁ ପଜିଟିଭ୍‌ ଜଣାପଡ଼ିଛି। ହରିୟାଣାରେ ସର୍ବାଧିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ମୃତ୍ୟୁ ହେଲାଣି। ଜମ୍ମୁ-କଶ୍ମୀର ଓ ଛତିଶଗଡ଼କୁ ମଧ୍ୟ ଆଲର୍ଟରେ ରଖାଯାଇଛି।
ଦିଲ୍ଲୀ ସରକାର ପକ୍ଷୀ ଆମଦାନୀକୁ ନିଷିଦ୍ଧ କରିଥିବାବେଳେ ଗାଜିପୁରରେ ଥିବା ସର୍ବବୃହତ୍‌ ପଲ୍‌ଟ୍ରି ହୋଲ୍‌ସେଲ୍‌ ବଜାରକୁ ସାମୟିକ ଭାବେ ବନ୍ଦ କରିଦିଆଯିବାରୁ ୨.୫ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟର ବାର୍ଡ ଫ୍ଳୁ ସ୍ଥିତିର ସମୀକ୍ଷା କରିଛନ୍ତି। ଦୁଇଦିନରେ ମହାରାଷ୍ଟ୍ରର ପର୍‌ଭାନିରେ ୮୦୦ କୁକୁଡ଼ା ମଲେଣି। ଫ୍ଲୁ ବ୍ୟାପିଥିବା ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ଜାରି ରହିଛି। ସେହିପରି କେରଳରେ ୧୨ ହଜାର ବତକ ଫ୍ଲୁରେ ମରିବା ପରେ ସେଠାରେ ହଜାର ହଜାର ପକ୍ଷୀଙ୍କୁ ମାରିଦିଆଗଲାଣି। ହରିୟାଣାରେ ୧.୬ ଲକ୍ଷରୁ ଅଧିକ ପକ୍ଷୀଙ୍କୁ ମରାଯାଇଛି।

ମଣିଷ ସଂକ୍ରମିତ ହେବାର ରିପୋର୍ଟ ନାହିଁ: ଗିରିରାଜ

ବାର୍ଡ ଫ୍ଲୁ ମଣିଷ ଶରୀରକୁ ସଂକ୍ରମିତ ହେବାର କୌଣସି ବିଜ୍ଞାନସମ୍ମତ ରିପୋର୍ଟ ନ ଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ତେଣୁ ଚିକେନ୍‌ ବିକ୍ରି ଉପରେ କଟକଣା ନ ଲଗାଇବାକୁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଗ୍ରାହକମାନେ ଭୟ କରିବାର କୌଣସି କାରଣ ନାହିଁ। ପ୍ରୋସେସ୍‌ଡ ଏବଂ ପ୍ୟାକିଂ ଚିକେନ ଆମଦାନୀ ଓ ବିକ୍ରି ଉପରେ ଦିଲ୍ଲୀ ସରକାର କଟକଣା ଲଗାଇବା ପରେ ଗିରିରାଜ ଏହା କହିଛନ୍ତି।

Share