Categories: ଜାତୀୟ

ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ପକ୍ଷୀଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। କାନପୁର ଚିଡ଼ିଆଖାନାରେ ବାର୍ଡ ଫ୍ଲୁ ଭୂତାଣୁ ମିଳିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରି ଦିଆଯାଇଛି। ବାର୍ଡ ଫ୍ଲୁ ମିଳିଥିବା ଓ୍ବାର୍ଡର ସମସ୍ତ ପକ୍ଷୀଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ଚିଡ଼ିଆଖାନାର ଆଖପାଖ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଗାଜିପୁର କୁକୁଡ଼ା ଫାର୍ମକୁ ଦିଲ୍ଲୀ ସରକାର ବନ୍ଦ କରିଦେଇଛନ୍ତି। ଦିଲ୍ଲୀର ୧୧ ଜିଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ହିମାଚଳପ୍ରଦେଶର ପୋଙ୍ଗ୍‌ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ମିଳିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ୩୫୦୦ ପକ୍ଷୀଙ୍କୁ ହତ୍ୟା କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ୍‌ଠାରେ ଥିବା କୁକୁଡ଼ା ଫାର୍ମର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨ ହଟସ୍ପଟ୍‌ ତାଲିକା ଜାରି କରାଯିବା ସହିତ କଣ୍ଟ୍ରୋଲ ରୁମ୍‌ ସ୍ଥାପନ ହୋଇଛି।

Share