Categories: ଜାତୀୟ

୭ ରାଜ୍ୟରେ ବାର୍ଡ ଫ୍ଲୁ: ପଞ୍ଚକୁଲାରେ ୧୦ ଦିନରେ ୪ ଲକ୍ଷରୁ ଅଧିକ ପକ୍ଷୀ ମୃତ

ନୂଆଦିଲ୍ଲୀ,୬।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ କାଉ ମରିପଡ଼ିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ଦସୌରରେ ୧୦୦, ଆଗର-ମଲଓ୍ବାରେ ୧୧୨ ଏବଂ ଖରଗୋନ୍‌ ଜିଲାରେ ୧୩ କାଉ ମରିଛନ୍ତି। କେରଳରେ କୋଟ୍ଟାୟମ୍‌ ଏବଂ ଅଲପୁଝା ଜିଲାରେ ମୃତ ପକ୍ଷୀଙ୍କଠାରେ ଏଚ୍‌-୫-ଏନ୍‌-୮ ଭୂତାଣୁ ଚିହ୍ନଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ୨ ଜିଲାରେ ପ୍ରାୟ ୪୦ ହଜାର କୁକୁଡାଙ୍କୁ ହତ୍ୟା କରାଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁ ଯୋଗୁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି। କାଙ୍ଗଡ଼ା ଜିଲାର ପୋଙ୍ଗ୍‌ ବାନ୍ଧ ହ୍ରଦ ନିକଟରେ ଥିବା ଅଭୟାରଣ୍ୟରେ ୧୯୦୦ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ପଞ୍ଚକୁଲାରେ ଗତ ୧୦ ଦିନ ମଧ୍ୟରେ ୪ ଲକ୍ଷରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨ ହଟସ୍ପଟ୍‌ ତାଲିକା ଜାରି କରାଯିବା ସହିତ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରିଛନ୍ତି।

Share