ଥିରୁଭାନନ୍ତପୁରମ୍,୨୫।୧୨ : ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬ ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର, ନନ୍ଦୁର ଏବଂ ଅର୍ପୁୁକାରା ପଞ୍ଚାୟତରେ ମୋଟ ୬,୦୧୭ ପକ୍ଷୀଙ୍କର ମୃତ୍ୟୁ ଘଟିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ପ୍ରକାଶ ଯେ ଭେଚୁରରେ ପ୍ରାୟ ୧୩୩ ଟି ବତକ ଏବଂ ୧୫୬ ଟି କୁକୁଡ଼ା, ନେନ୍ଦୁରରେ ୨,୭୫୩ ବତକ ଏବଂ ଅର୍ପୁକାରାରେ ୨,୯୭୫ ବତକଙ୍କ ମୃତ୍ୟୁ ଘଟିଛି।
ଲାକ୍ଷାଦ୍ୱୀପ ପ୍ରଶାସନ ବାର୍ଡ ଫ୍ଲୁ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି କେରଳରୁ କୁକୁଡ଼ା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବାର୍ଡ ଫ୍ଲୁ ଯୋଗୁ କେରଳ କୁକୁଡ଼ା ଏବଂ ବତକ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।