Advertisement

ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ଖୋଲା ଖୋଲି ଚାଲିଛି ଚିକେନ୍ ବିକ୍ରି

କୃଷ୍ଣପ୍ରସାଦ,୬।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ ଶତାଧିକ ସଂଖ୍ୟାରେ ପକ୍ଷୀ ମଡ଼କ ଆରମ୍ଭ ହୋଇଛି। ସିଆଣ୍ଡି ପଞ୍ଚାୟତର ରତାମାଟି, ବଳରାମପୁରରେ କୁକୁଡ଼ା ଫାର୍ମରେ ପ୍ରତିଦିନ ଶହ ଶହ କୁକୁଡ଼ା ମରି ଶୋଉଛନ୍ତି। ତେଣୁ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ଆଶଙ୍କା କରାଯାଉଛି।

ସୋମବାରକୁ ପ୍ରାୟ ୩ ଦିନ ହେବ ଏହା ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ଏ ଖବର ପଶୁ ଚିକିତ୍ସକଙ୍କ ପାଖରେ ନ ଥିବା ଜଣାପଡ଼ିଛି। ଅନ୍ୟପଟେ ବ୍ୟବସାୟୀ ମାନେ ଖୋଲା ଖୋଲି ଭାବେ ଚିକେନ ବିକ୍ରି କରୁଛନ୍ତି ଯାହା ଜୀବନ ପ୍ରତି ବିପଦ ଦେଖାଦେଇଛି। ୩ ଦିନ ମଧ୍ୟରେ ୫ ହଜାର କୁକୁଡ଼ା ମରିଥିବା ବେଳେ ଏନେଇ କାହାପାଖରେ କିଛି ଖବର ନାହିଁ।

ବ୍ଲକ ପଶୁ ଚିକିତ୍ସା ଅଧିକାରିଣୀ ସୁଦପ୍ତା ପଟ୍ଟନାୟକଙ୍କୁ ପଚାରିବାରୁ ଏ ବିଷୟରେ କିଛି ଜାଣି ନ ଥିବା ସେ ପ୍ରକାଶ କରିଛନ୍ତି। ଫାର୍ମ ମାନଙ୍କରେ ହଜାର ହଜାର କୁକୁଡ଼ା ମରି ଶୋଇଥିବା ବେଳେ ପଶୁ ଅଧିକାରିଣୀ କହୁଛନ୍ତି ଆମେ ନମୁନା ନେଇ ପରୀକ୍ଷାର ରିପୋର୍ଟ ଆସିବା ପରେ ହିଁ ଜଣାଯିବ ବାର୍ଡ଼ ଫ୍ଲୁ ରୋଗ ହୋଇଛି କି ନାହିଁ। ତେବେ ବିଭାଗୀୟ କର୍ମଚାରୀଙ୍କ କଚ୍ଛପ ଗତି ଲୋକଙ୍କ ଜୀବନ ହାନି କରିବା ଆଶଙ୍କା ରହିଛ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share