Categories: ଜାତୀୟ

ଦେଶରେ ବାର୍ଡ ଫ୍ଲୁ ଆତଙ୍କ: କେରଳରେ ୪୦ ହଜାର କୁକୁଡାଙ୍କୁ କରାଯିବ ହତ୍ୟା

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବା ବେଳେ ଏବେ ପୁଣି ନୂଆ ସଙ୍କଟ ଦେଖାଦେଇଛି। କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ସ୍ଥିତି ଅଣାୟତ ହେବାରେ ଲାଗିଛି। ପୂର୍ବରୁ ରାଜସ୍ଥାନ, କେରଳ ଏବଂ ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁ ଦେଖାଦେଇଥିବା ବେଳେ ଏବେ ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁ ଯୋଗୁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି। କାଙ୍ଗଡ଼ା ଜିଲାର ପୋଙ୍ଗ୍‌ ବାନ୍ଧ ହ୍ରଦ ନିକଟରେ ୧୮୦୦ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ମୃତ ପକ୍ଷୀଙ୍କ ମଧ୍ୟରେ କାଉ, ବଗ ଏବଂ ଅନ୍ୟ ପ୍ରଜାତି ରହିଥିବା ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ପରୀକ୍ଷା ପରେ ମୃତ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଚିକେନ୍‌ ଏବଂ ଅଣ୍ଡା ବିକ୍ରି ଉପରେ କଟକଣା ଜାରି କରାଯାଇଛି। ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁୟାରୀ ୩ ମଧ୍ୟରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ କାଉ ମରିପଡ଼ିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ଦସୌରରେ ୧୦୦, ଆଗର-ମଲଓ୍ବାରେ ୧୧୨ ଏବଂ ଖରଗୋନ୍‌ ଜିଲାରେ ୧୩ କାଉ ମରିଛନ୍ତି। ସେହିପରି କେରଳ କୋଟ୍ଟାୟମ୍‌ ଏବଂ ଅଲପୁଝା ଜିଲାରେ ମୃତ ପକ୍ଷୀଙ୍କଠାରେ ଏଚ୍‌-୫-ଏନ୍‌-୮ ଭୂତାଣୁ ଚିହ୍ନଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ୨ ଜିଲାରେ ପ୍ରାୟ ୪୦ ହଜାର କୁକୁଡାଙ୍କୁ ହତ୍ୟା କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। କୋଟ୍ଟାୟମ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୫,୦୦ ବତକଙ୍କର ମୃତ୍ୟୁ ଘଟିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share