ଭିତରକନିକାରେ ବାର୍ଡ ଫ୍ଲୁ ଆଶଙ୍କା

ରାଜନଗର,୩ା୯(ଭାସ୍କର ରାଉତରାୟ): ଦେଶୀୟ ପକ୍ଷୀଙ୍କ ଆବାସସ୍ଥଳୀ ଭିତରକନିକା ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି କି ନା ସେ ନେଇ କୌଣସି ପରୀକ୍ଷା କରାଯାଇନାହିଁ। ରାଜନଗର ପ୍ରାଣୀ ଚିକିତ୍ସା ବିଭାଗର ଡା. ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଭେଟେରିନାରି ସର୍ଜନ ସନ୍ତୋଷ ଜେନା, ଲାଇଭଷ୍ଟକ ଇନ୍ସପେକ୍ଟର ପିନାକ ଚରଣ ରାଉତ ସହ ଟିମ୍‌ ଭିତରକନିକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭିତରକନିକାର ମଠଆଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବାରୁ ସେଠାରୁ ପାଣି, ପତ୍ର, ପର ଓ ମଳ ସାମ୍ପୁଲ ସଂଗ୍ରହ ହୋଇଛି।

ଏଥିସହ ଭିତରକନିକା ଜାତୀୟ ଉଦ୍ୟାନ ଚତୁଃପାର୍ଶ୍ୱରେ ଥିବା ବାଙ୍କୁଆଳ, ତ୍ରିଲୋଚନପୁର, ଗୁମୁରା, ଶାରଦାପ୍ରସାଦ, ବନିପାଳ, ଅଜଗରପାଟିଆ ଆଦି ୨୦ଟି ଗାଁରୁ କୁକୁଡ଼ା, ବତକର ମଳ ସାମ୍ପୁଲ ସଂଗ୍ରହ ହୋଇଛି। ଏହାକୁ ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଦେଶୀୟ ପକ୍ଷୀ ଓ କୁକୁଡ଼ା, ବତକଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଛି କି ନା ଜଣାପଡ଼ିବ ବୋଲି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଦଳାଇ ସୂଚନା ଦେଇଛନ୍ତି। ଜିଲା ବାହାରୁ କୁକୁଡ଼ା ଆସୁଥିବାରୁ ଓ ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବାରୁ ଯେକୌଣସି ମୁହୂର୍ତ୍ତରେ ରାଜନଗରରେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କା ରହିଛି।

Share