ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମଣିଷଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ଚାଇନାରେ ଏହି ସଂକ୍ରମଣର ପ୍ରଥମ ଘଟଣା ରିପୋର୍ଟ ହୋଇଛି। ମଙ୍ଗଳବାର ଚାଇନାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ତେବେ କୁହାଯାଇଛି ଯେ ଏହି ସଂକ୍ରମଣ ଅନ୍ୟ ଲୋକଙ୍କୁ ବ୍ୟାପିବାର ଆଶଙ୍କା କମ ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ହେନାନ ପ୍ରଦେଶର ଜଣେ ଚାରି ବର୍ଷର ଶିଶୁଙ୍କୁ ଏପ୍ରିଲ ୫ ରେ ଜ୍ୱର ହେବା ସହିତ ଅନ୍ୟାନ୍ୟ କେତେକ ଲକ୍ଷଣ ପ୍ରକାଶ ପାଇଥିଲା। ନମୁନା ପରୀକ୍ଷାରୁ ଜଣା ପଡ଼ିଥିଲା ଯେ ତାଙ୍କଠାରେ ବାର୍ଡ ଫ୍ଲୁର ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ରହିଛି।

ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଏହି ସଂକ୍ରମଣ ମିଳି ନ ଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଚାରି ବର୍ଷର ବାଳକ ତାଙ୍କ ଘରେ କୁକୁଡ଼ା ଏବଂ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଛନ୍ତି।

ଚାଇନା ଜାତୀୟ ସ୍ବାସ୍ଥ୍ୟ ଆୟୋଗ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବାର୍ଡ ଫ୍ଲୁର ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ମଣିଷଙ୍କୁ ମଧ୍ୟ ଆକ୍ରାନ୍ତ କରିପାରିବ ମାତ୍ର ଏହା ମହାମାରୀ ରୂପ ନେବା ଅବା ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଘୋଡା, କୁକୁର, ପକ୍ଷୀମାନଙ୍କରେ ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ଏପର୍ଯ୍ୟନ୍ତ ମିଳିଥିଲା। କିନ୍ତୁ ଅଦ୍ୟାବଧି ମଣିଷ ମଧ୍ୟରେ ଏହା ଚିହ୍ନଟ ହୋଇ ନ ଥିଲା।

Share