ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ପ୍ରତ୍ୟେକଙ୍କ ସାହାଯ୍ୟ ଓ ସହଯୋଗ ଜରୁରୀ ବୋଲି ବିଶ୍ୱାସ କରନ୍ତି ନନ୍ଦ କିଶୋର ଭୁଜବଳ। ଜନ୍ମ ୨ା୬ା୧୯୪୬ ମସିହାରେ। ପିତା ଡମ୍ବୁରଧର ପରିଡ଼ା। ମା’ ହାରମଣି ଦେବୀ। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଟାଙ୍ଗୀ-ଚିଲିକା ଛକ ରୋଡ଼ କଡ ନିକଟରେ। ସେ କୁହନ୍ତି, ‘ପିଲାଟି ଦିନରୁ ବାପାଙ୍କ ସହିତ ଜଙ୍ଗଲ ବୁଲିବାକୁ ଯାଉଥିଲି। ମୋ ବାପା ଥିଲେ ଆମ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷକ। ତାଙ୍କ ସହିତ ଯେବେ ସ୍କୁଲକୁ ଯାଉଥିଲି ସେ ସ୍କୁଲ ପରିସରରେ ବିଭିନ୍ନ ଗଛ ଲଗାଉଥିଲେ। ତାହା ଦେଖି ମୁଁ ଖୁସି ହୋଇଯାଉଥିଲି। ବଳରାମ ଦେବ ବିଦ୍ୟାପୀଠ ଟାଙ୍ଗୀରେ ୧୦ମ ପଢ଼ାସାରି ନୟାଗଡ଼ କଲେଜରେ ଯୁକ୍ତ୨ ପଢ଼ିଲି। ଫୁଟ୍ବଲ ଓ ଭଲିବଲ ପୁଣି ବ୍ୟାଡ଼ମିଣ୍ଟନ ଖେଳିବା ଅଭ୍ୟାସ ରହିଥିଲା। ଘରେ ଗୀତ ଗାଇବା ଓ ହାରମୋନିୟମ ବଜାଇବା ନିଶା ହୋଇଯାଇଥିଲା। କିନ୍ତୁ ୧୯୭୦ମସିହାରେ ବେଲପାହାଡ଼ର ଏକ ରିଫ୍ରାକ୍ଟୋରି ଲିମିଟେଡ଼ରେ ଚାକିରି କଲି। କିଛି ବର୍ଷ କାମ କରିବା ପରେ ୧୯୯୧ମସିହାରେ ସେଠାରୁ ଚାକିରି ଛାଡ଼ି ଦେଇଥିଲି। ସେ ସମୟରେ ବେଳେବେଳେ ଘରୁ ଲୁଚିକି ଯାଇ ବନ୍ଧୁକରେ ଜୀବଜନ୍ତୁଙ୍କୁ ଶିକାର କରିବା ମୋର ଏକ ସୌଖିନ ଅଭ୍ୟାସ ଥିଲା। ୧୯୬୮ମସିହାର କଥା, ଥରେ ଗାଁ ନିକଟ ଗହୀରବିଲ ଆକାଶରେ ଗୋଟିଏ ବଗକୁ ଗୁଳିକରି ମାରିଦେଇଥିଲି। ଗୁଳିବିଦ୍ଧ ବଗଟି ଆକାଶରୁ ଭୂମିରେ ଖସି ପଡ଼ିଥିଲା କିନ୍ତୁ ସେହି ବଗଟି ତା’ର ଚଞ୍ଚୁରେ କାଠିକୁଟା ଧରିଥିଲା। ଏହା ମୁଁ ଖୁବ୍ ମର୍ମାହତ ହୋଇଥିଲି। ତା’ପରେ ଚିନ୍ତାକଲି କିପରି ବିଭିନ୍ନ ଜୀବଜନ୍ତୁ ଓ ପକ୍ଷୀ ସୁରକ୍ଷା କରିହେବ। ଅନ୍ୟପକ୍ଷେ ସେତେବେଳେ ଚିଲିକାରେ ବହୁଳ ମାତ୍ରାରେ ପକ୍ଷୀ ଶିକାର ହେଉଥିତ୍ଲା। ତେଣୁ ସେମାନଙ୍କ ସୁରକ୍ଷା କଥା ଚିନ୍ତା କଲି। ଟାଙ୍ଗୀ ଓ ରଣପୁର ଅଞ୍ଚଳର କେତେକ ଗାଁରେ ଜଙ୍ଗଲ କମିଟି ଗଠନ କରିଥିଲି। ପ୍ରଥମେ ମା’ ପଶ୍ଚିମାଶୁଣୀ ଜଙ୍ଗଲ ସୁରକ୍ଷା କମିଟି, ତାପରେ ୧୯୯୬ରୁ ଚିଲିକା ପକ୍ଷୀ ସୁରକ୍ଷା ନିମନ୍ତେ ସୋରଣଠାରେ ମୁସଲିମ ସାହି ଏବଂ ମଙ୍ଗଳାଯୋଡ଼ି ଗାଁରେ ପକ୍ଷୀ ସୁରକ୍ଷା ସମିତି ଗଠନ କରାଯାଇଥିଲା। କିନ୍ତୁ ଚିଲିକା ଉପକୂଳ କେତେକ ଗାଁରେ ବହୁଳ ପକ୍ଷୀ ଶିକାର ଯୋଗୁ ଶିକାରୀମାନେ ପକ୍ଷୀସୁରକ୍ଷା ପାଇଁ ପ୍ରଥମେ ଆମକୁ ବିରୋଧ କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କରେ ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ କେତେଜଣ ବୁଦ୍ଧିଜୀବୀ, ପରିବେଶବିତ୍ଙ୍କ ସହ କେତେଜଣ ଶିକାରୀ ସ୍ବତଃପ୍ରବୃତ୍ତଭାବେ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ । ଏପରିକି କେତେଜଣ ଶିକାରୀଙ୍କୁ କାଳିଜାଈଙ୍କ ପୀଠରେ ପକ୍ଷୀ ଶିକାରରୁ ନିବୃତ୍ତ ରହିବା ପାଇଁ ଶପଥ କରାଇବାରେ ସଫଳ ହୋଇଥିଲି। ପ୍ରଥମେ ୧୨ଜଣ ଶିକାରୀ ଏବଂ ଗ୍ରାମର କେତେଜଣ ଯୁବକଙ୍କୁ ନେଇ ସୁରକ୍ଷାକମିଟି ଗଠନ କରାଯାଇଥିଲା। ଏମାନଙ୍କ ମଧ୍ୟରେ ମଙ୍ଗଳାଯୋଡ଼ିର କିଶୋର ବେହେରା, ପୂର୍ଣ୍ଣଚନ୍ଦ୍ର ରାଉତରା (ନନିକି) ପ୍ରମୁଖ ପରିବର୍ତ୍ତନ ହୋଇଛନ୍ତି । ଏବେ ସେମାନେ ପକ୍ଷୀ ସୁରକ୍ଷାକାରୀ ଭାବେ କାର୍ଯ୍ୟ କରୁଛନ୍ତି। ମହାବୀର ପକ୍ଷୀ ସୁରକ୍ଷା ସମିତିର ମଙ୍ଗଳାଯୋଡ଼ି ଗାଁରେ ପ୍ରାୟ ୪୮ଜଣ ସଦସ୍ୟ ମହାବୀର ପକ୍ଷୀ ସୁରକ୍ଷା କମିଟିରେ ରହିଛନ୍ତି। ଏବେ ଚିଲିକା ଅଞ୍ଚଳର କିଛି ଶିକାରୀ ଓ ଗ୍ରାମବାସୀ ମଧ୍ୟ ଚିଲିକା ପକ୍ଷୀ ସୁରକ୍ଷାରେ ସାମିଲ ହୋଇଛନ୍ତି।’ ଏହିସବୁ କାର୍ଯ୍ୟ ପାଇଁ ୨୦୦୬-୦୭ରେ ନନ୍ଦ କିଶୋରଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି। ତାସହ ୨୦୧୧ରେ ଆର୍ବିଏସ୍ ତରଫରୁ ଗ୍ରୀନ୍ ଯୋଦ୍ଧା ପୁରସ୍କାର, ହଲ୍ ଅଫ ଫେମ୍ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ-୨୦୧୪, ଆର୍ଟୁଲ ଗ୍ରୀନ ଯୋଦ୍ଧା ଓ୍ବେଷ୍ଟବେଙ୍ଗଲ-୨୦୨୦, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ପୁରସ୍କାର-୨୦୨୧ରେ ମିଳିଛି। ନନ୍ଦ କିଶୋର କୁହନ୍ତି,‘ମୋ ପରିବାର କହିଲେ ଆମେ ମା’ବାପାଙ୍କ ୫ପୁଅ, ୩ଝିଅ। ଆଉ ମୋର ଗୋଟିଏ ପୁଅ, ୨ଜଣ ଝିଅ। ମୋର ଏହି କାମରେ ସମସ୍ତଙ୍କର ସମର୍ଥନ ରହିଛି। ଦିନଥିଲା ଶିକାରୀମାନେ ପକ୍ଷୀ ଶିକାରକରି ଘରର ମଞ୍ଚା, ପାଳଗଦା, ମାଟିହାଣ୍ଡି ଏପରିକି ଘରଠାରୁ ଦୂର ଅନ୍ୟତ୍ର ସ୍ଥାନରେ ଲୁଚାଇ ଚୋରାରେ ବେପାର କରୁଥିଲେ। ମାତ୍ର ୧୯୭୨ମସିହା ଜଙ୍ଗଲ ବନ୍ୟପ୍ରାଣୀ ସୁରକ୍ଷା ଆଇନ ସମ୍ପର୍କରେ ଗାଁଲୋକମାନେ ସଚେତନ ହେବାପରେ ପକ୍ଷୀ ଶିକାର କିଛିଟା କମିଯାଇଛି। ଚିଲିକା ଓ୍ବାଇଲ୍ଡ ଲାଇଫ ଡିଭିଜନ ତରଫରୁ ପକ୍ଷୀସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସିଡିଏ ତରଫରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ବି କରାଯାଉଛି।
-ବନବିହାରୀ ବେହେରା