ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର ୫ଟାରୁ ସକାଳ ୮ଟା ମଧ୍ୟରେ ସହରର ରାସ୍ତାଘାଟରେ ବହୁ ସଂଖ୍ୟକ ମୃତ ଚଢ଼େଇ ପଡ଼ି ରହିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୦୦ଟି ଚଢ଼େଇଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ପ୍ରାୟ ୧୫ ଶହରୁ ଅଧିକ ପ୍ରବାସୀ ପକ୍ଷୀ ଆକାଶରୁ ଖସି ପଡ଼ିଥିଲେ। ଏନେଇ ବନ୍ୟପ୍ରାଣୀକର୍ମୀ ଷ୍ଟିଫେନ୍‌ ମେସିଜଓ୍ବଓ୍ବେକ୍ସି କହିଛନ୍ତି ଯେ, ବର୍ଷର ଏହି ସମୟରେ ପ୍ରାୟତଃ ପକ୍ଷୀମାନେ ଅତ୍ୟଧିକ ଥଣ୍ଡା ଏବଂ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଥାନ୍ତି। ଏହା ସେମାନଙ୍କର ଜୀବନ ଶୈଳୀର ଏକ ଅଂଶ। ତେବେ କାହିଁକି ପକ୍ଷୀମାନେ ତଳେ ପଡ଼ିଲେ ତାହା ଏବେ ମଧ୍ୟ ଅଜଣା। ବନ୍ୟପ୍ରାଣୀକର୍ମୀଙ୍କ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। ହୁଏତ ହଠାତ୍‌ ତାପମାତ୍ରା କମିଯାଇଥିବାରୁ ପକ୍ଷୀଗୁଡ଼ିକ ଉଡ଼ି ନ ପାରି ତଳେ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପକ୍ଷୀମାନେ କାନାଡ଼ା ସମେତ ଅନ୍ୟ ଅଞ୍ଚଳକୁ ଯାଉଥିଲେ। କେତେକ ଉଚ୍ଚଉଚ୍ଚ କୋଠାରେ ପଶିଯାଇଥିବାବେଳେ ଅନ୍ୟମାନେ ତଳେ ପଡ଼ିଯାଇଥିଲେ। ପୂର୍ବରୁ ଏଭଳି ଘଟଣା ୧୯୪୮ରେ ମଧ୍ୟ ଘଟିଥିଲା ବୋଲି ସେ କହିଛନ୍ତି।

Share