ପକ୍ଷୀ ଓ ପରିବେଶ

ଡ. ପ୍ରଫୁଲ୍ଲ କୁମାର ସାହୁ

ଆଗେ ପ୍ରାୟତଃ ସବୁ ଗଁା ମୁଣ୍ଡରେ ଥିଲା ବଡ଼ ବଡ଼ ଝଙ୍କାଳିଆ ବରଗଛ। କେଉଁ ସ୍ମରଣାତୀତ କାଳରୁ ରହିଆସିଥିବା ଏହି ବୃକ୍ଷର ଶାଖା ପ୍ରଶାଖାର ବିସ୍ତୃତି ତଥା ଚେର ଓ ଓହଳମାନଙ୍କ ପରସ୍ପର ସହଯୋଗ କାରଣରୁ ବର୍ଷା ଓ ବନ୍ୟା ଧୋଇ ନେଇ ପାରୁନଥିଲା ଗଁାର ଚେନାଏ ବି ମାଟି। ତାହା ରୌଦ୍ରତାପରୁ ପଥିକକୁ ରକ୍ଷା କରୁଥିଲା ଏବଂ ତା’ ଡାଳରେ ବସା ବାନ୍ଧିଥିଲେ ନାନା ଜାତିର ପକ୍ଷୀ। ରାତି ନ ପାହୁଣୁ ସେମାନଙ୍କ ମିଠା କାକଳିରେ ମୁଖରିତ ହେଉଥିଲା ପରିବେଶ। ଏହି ବିଶାଳ ଗଛଗୁଡ଼ିକ ମଣିଷର ସୃଷ୍ଟି ନୁହେଁ, ଏହା ଥିଲା କାଉମାନଙ୍କ ଦାନ।
ଆଗେ ଆମ ପାଇଁ ଶୁଭ ସକାଳର ସନ୍ଦେଶ ନେଇ ଆସୁଥିଲା କାଉ। ସକାଳ ହେଲେ ତା’ର କା’ କା’ ଡାକରେ ଭାଙ୍ଗୁଥିଲା ନିଦ। ସେଥିପାଇଁ ପିଲାଙ୍କ ବହିରେ ଲେଖାଯାଇଛି – ”ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ“। ଆମ ପରିବେଶକୁ ପରିଷ୍କାର ରଖିବା ପାଇଁ କାଉ ବୁଲି ବୁଲି ସଫା କରୁଥିଲା ମଇଳା। ଖୁବ୍‌ ଚତୁର, ଶିଷ୍ଟ, ରୁଚିପୂର୍ଣ୍ଣ, ଶୃଙ୍ଖଳିତ ଓ ପରିବାରମନସ୍କ ପକ୍ଷୀଟିଏ। ଆମେ ପୂର୍ବରୁ ଶୁଣିଥିବା କାଉମାନଙ୍କ ଉପରେ କରାଯାଇଥିବା ଗବେଷଣା ଅନୁସାରେ ସେମାନେ ଏପରି ସମସ୍ୟାର ସମାଧାନ କରିପାରନ୍ତି, ଯାହା ପାଇଁ ଆବଶ୍ୟକ ହୁଏ ବୌଦ୍ଧିକ ଚିନ୍ତନ। କୁଆ ଓ ମାଠିଆ ଗପ ସେମାନଙ୍କର ଚତୁରତାର ଏକ ସୁନ୍ଦର ଦୃଷ୍ଟାନ୍ତ। ବିହେଭିୟାରାଲ ଇକୋଲୋଜି ଏଣ୍ଡ ସୋସିଓଲଜି ପତ୍ରିକାରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟ ଅନୁସାରେ କାଉମାନଙ୍କର ସ୍ମୃତିଶକ୍ତି ଅତି ପ୍ରଖର। ସେମାନେ ମୁହଁ ଦେଖି ବିପଜ୍ଜନକ ମଣିଷଙ୍କୁ ଠଉରେଇ ନିଅନ୍ତି ଓ ମନେରଖିପାରନ୍ତି ଦୀର୍ଘଦିନ ପର୍ଯ୍ୟନ୍ତ। ଲୋକବିଶ୍ୱାସ ଅନୁସାରେ କାଉ ହେଉଛି ପିତୃପକ୍ଷର ପ୍ରତିନିଧି। ଆଶ୍ୱିନ କୃଷ୍ଣପକ୍ଷରେ ପିତୃପକ୍ଷ ପାଳନ ହୁଏ, ଯେତେବେଳେ କାଉମାନଙ୍କର ଅଣ୍ଡାଦିଆ ଋତୁ। ଅଣ୍ଡା ଉଷୁମେଇବା ସମୟରେ ମାଆ କାଉଟି ଆବଶ୍ୟକ କରେ ଖାଦ୍ୟ। ସେତିକିବେଳେ ପିତୃପକ୍ଷ ପାଳନ କରିବାକୁ ଯାଇ କାଉକୁ କଦଳୀ ପତ୍ରରେ ଖାଦ୍ୟ ବାଢ଼ିଦେଇ ଆମେ କହୁ ‘ବାୟେସଭ୍ୟ ନମଃ’। ଅର୍ଥାତ୍‌ ଆମ ଆଧ୍ୟାମତ୍ିକ ବିଶ୍ୱାସ ସହିତ ଯୋଡ଼ି ହୋଇ ରହିଥିଲା ଜୀବେଦୟା ଭାବ, ଯାହା ପରିବେଶ ସୁରକ୍ଷା ଦିଗରେ ଏକାନ୍ତ ଉପଯୋଗୀ। ଏବେ ଆମ ଭିତରୁ ସେ ଭାବନା ଅପସରି ଯିବା ଫଳରେ କେବଳ କାଉ ନୁହେଁ, ପରିବେଶରୁ ହଜିଗଲେଣି ଆହୁରି ଅନେକ ପ୍ରଜାତିର ପକ୍ଷୀ।
ସାହାଡ଼ା ଗଛ ଓ ହଳଦୀବସନ୍ତ ପରସ୍ପର ପରିପୂରକ। ଖୁବ୍‌ ସୁନ୍ଦର ପକ୍ଷୀଟିଏ ହଳଦୀ ଗୁରୁଗୁରୁ ହଳଦୀବସନ୍ତ। ମଣିଷଙ୍କୁ ଦେଖିବାମାତ୍ରେ ନୂଆ ବୋହୂ ପରି ଲାଜ ଲାଜ ହୋଇ ଲୁଚିଯାଆନ୍ତି ପତ୍ର ଗହଳରେ। ସାହାଡ଼ା କୋଳି ସେମାନଙ୍କର ଭାରି ପ୍ରିୟ। ତେଣୁ ସେମାନେ ବାଡ଼ିବଗିଚାକୁ ଆସନ୍ତି ସାହାଡ଼ା କୋଳି ଖାଇବା ପାଇଁ। କେହି କିନ୍ତୁ ବାଡ଼ିରେ ସାହାଡ଼ା ଗଛ ଲଗାଏ ନାହିଁ। ତାହା ଆପେ ଆପେ ଉଠେ ଏହି ପକ୍ଷୀମାନଙ୍କ ସହାୟତାରେ। ହଳଦୀବସନ୍ତ ସାହାଡ଼ା କୋଳି ଖାଇ ମଳତ୍ୟାଗ କରିବା ସ୍ଥାନରେ ସୃଷ୍ଟିହୁଏ ନୂଆ ଗଛ। ଅର୍ଥାତ୍‌ ସାହାଡ଼ା ଗଛ ହଳଦୀବସନ୍ତକୁ ଖାଦ୍ୟ ଯୋଗାଏ ଏବଂ ସାହାଡ଼ା ଗଛର ବଂଶବୃଦ୍ଧିରେ ସହାୟକ ହୁଏ ହଳଦୀବସନ୍ତ। ଏହି ପ୍ରକ୍ରିୟା ଚାଲି ଆସିଥିଲା ପିଢ଼ି ପରେ ପିଢ଼ି। ଏବେ କିନ୍ତୁ ବାଡ଼ିବଗିଚାରେ ସାହାଡ଼ା ଗଛ ନ ଥିବାରୁ ଆଉ ଦେଖିବାକୁ ମିଳୁନାହାନ୍ତି ହଳଦୀବସନ୍ତ। ଆମ ପୂର୍ବଜମାନେ କହୁଥିଲେ, ‘ସାହାଡ଼ା ଦାନ୍ତକାଠିରେ ଘଷିଲେ ଦାନ୍ତରୋଗ ହୁଏ ନାହିଁ କି ଦାନ୍ତ ପଡ଼େନାହିଁ ବୁଢ଼ା ହେବା ପର୍ଯ୍ୟନ୍ତ। ଆମେ କିନ୍ତୁ ତାକୁ ଅଦରକାରୀ ଭାବି ତାକୁ ନିପାତ କରି ଚାଲିଲୁ, ଯାହାଫଳରେ ଉଭୟ ସାହାଡ଼ା ଗଛ ଓ ହଳଦୀବସନ୍ତ ପାଇଁ ଖୋଲିଗଲା ବିଲୁପ୍ତିର ରାସ୍ତା।
ପରିବେଶ ବନ୍ଧୁ ବାଦୁଡ଼ି। ପୃଥିବୀର ଏକମାତ୍ର ସ୍ତନ୍ୟପାୟୀ ପକ୍ଷୀ। ଇଂରାଜୀରେ ଏମାନଙ୍କୁ କୁହାଯାଏ ଫ୍ଲାଇଂ ଫକ୍ସ। ସାଧାରଣତଃ କ୍ଷୁଦ୍ର ବାଦୁଡ଼ିମାନେ କୀଟଭୋଜି ଓ ବଡ଼ ବାଦୁଡ଼ିମାନେ ଫଳଭୋଜି। ରାତିକ ଭିତରେ ୩ ହଜାରରୁ ୪ ହଜାର କୀଟପତଙ୍ଗ ଖାଇପାରେ ଗୋଟିଏ କୀଟଭୋଜି ବାଦୁଡ଼ି। ସେଥିପାଇଁ ତାକୁ କୁହାଯାଏ କୃଷକର ବନ୍ଧୁ। କୀଟଭୋଜି ବାଦୁଡ଼ିଙ୍କ ଦ୍ୱାରା ନିପାତ ହୁଅନ୍ତି ମ୍ୟାଲେରିଆ ଓ ଡେଙ୍ଗୁରୋଗର ବାହକ। ସାଧାରଣତଃ ୭ଶହରୁ ୯ଶହ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ଫଳଭୋଜି ବାଦୁଡ଼ିମାନଙ୍କର ଓଜନ। ଏମାନେ ବିଭିନ୍ନ ପ୍ରକାର ପାଚିଲା ଫଳ ଓ ଫୁଲ ଭିତରେ ଥିବା ମଧୁ ଇତ୍ୟାଦି ଖାଆନ୍ତି, ଯଦ୍ଦ୍ବାରା ସମ୍ଭବ ହୁଏ ପରାଗସଙ୍ଗମ ଓ ବୀଜ ବିକ୍ଷେପଣ। ଅର୍ଥାତ୍‌ ଏମାନଙ୍କ ଯୋଗୁ ଫଳ ଅଧିକ ଫଳେ ଓ ସୃଷ୍ଟିହୁଏ ନୂଆଗଛ। ବାଦୁଡ଼ି ଏକ ଉଚ୍ଚ ଆବୃତ୍ତିସମ୍ପନ୍ନ ଧ୍ୱନି ତରଙ୍ଗ ନିର୍ଗତ କରିଥାଏ, ଯାହା ଆମ ଶ୍ରୁତି ପରିସର ବାହାରେ। ପକ୍ଷୀବିଜ୍ଞାନ ପରିଭାଷାରେ ପାରାସୋନିକ୍‌ ବା ଅଲଟ୍ରାସୋନିକ କୁହାଯାଉଥିବା ଏ ଧ୍ୱନିକୁୁ ଶୁଣିବା ପାଇଁ ସମର୍ଥ ହୁଏନି ମଣିଷ। ବାଦୁଡ଼ି ନିର୍ଗତ କରୁଥିବା ଏହି ଧ୍ୱନି ଚାରିଆଡ଼କୁ ସଞ୍ଚାରିତ ହୁଏ, ଯାହାର ଗତି ପରିସରରେ କୌଣସି ଶିକାର ପଡ଼ିଗଲେ ସେଥିରେ ବାଧା ପାଇ ଫେରିଆସେ ଧ୍ୱନି ତରଙ୍ଗ। ବାଦୁଡ଼ିର ନାକ ଉପରେ ଥିବା ଦୁଇଟି ନିଶ ରାଡାର ଭଳି କାମ କରେ ଏବଂ ସେହି ରାଡାର ସାହାଯ୍ୟରେ ସେ ଫେରନ୍ତା ଧ୍ୱନିକୁ ଅନୁସରଣ କରି ଠାବ କରିପାରେ ଶିକାରର ଅବସ୍ଥିତି ବା ତା’ର ଦିଗ, ଆକାର, ପ୍ରକାର ଓ ଦୂରତା। ଏହି ଠାବ କରିବା ପଦ୍ଧତିକୁ କୁହାଯାଏ ଇକୋଲୋକେସନ।
ବାଦୁଡ଼ି ସାଧାରଣତଃ ଜଳାଶୟ ପାଖରେ ଥିବା ଉଚ୍ଚା ଉଚ୍ଚା ଗଛର ସରୁ ଡାଳରେ ମୁଣ୍ଡକୁ ତଳକୁ କରି ଦିନସାରା ଝୁଲି ରହେ ଏବଂ ସନ୍ଧ୍ୟାହେଲେ ବାହାରକୁ ଯାଏ ଖାଦ୍ୟ ଅନ୍ବେଷଣରେ। ଜଳାଶୟରୁ ସେ ସିଧାସଳଖ ପାଣି ନ ପିଇ ଉଡ଼ନ୍ତା ଅବସ୍ଥାରେ ଜଳାଶୟ ସହିତ ଧକ୍କା ଖାଏ ଏବଂ ଦେହରେ ଲାଗିଥିବା ପାଣିକୁ ପିଏ ଗଛଡାଳରେ ଝୁଲନ୍ତା ଅବସ୍ଥାରେ। ଏହି କାରଣରୁ ବାଦୁଡ଼ିମାନଙ୍କ ପାଇଁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଜଳବାୟୁ ଖୁବ୍‌ ଅନୁକୂଳ ଥିଲା ଏବଂ ଏ ଅଞ୍ଚଳରେ ଦେଖିବାବୁ ମିଳୁଥିଲେ ବହୁ ସଂଖ୍ୟାରେ ବାଦୁଡ଼ି। ମାତ୍ର ଯେବେଠାରୁ ବିକାଶ ଆଳରେ ଜଳାଶୟ ସବୁ ପୋତାଗଲା ଏବଂ ବଡ଼ବଡ଼ ଗଛ କାଟି ପଦା କରିଦିଆଗଲା, ସେବେଠାରୁ ଉଜୁଡ଼ିଗଲା ବାଦୁଡ଼ିର ବାସ। ଗଛରେ ଯାହାକିଛି ଫଳ ଫଳିଲା, ପାଚିବା ଆଗରୁ ମଣିଷ ତାକୁ ତୋଳିଆଣି କୃତ୍ରିମ ଉପାୟରେ ପଚେଇ ଖାଇବା ଫଳରେ ବାଦୁଡ଼ିକୁ ଘାରିଲା ଖାଦ୍ୟ ସଙ୍କଟ। ବାଦୁଡ଼ି ମାଂସ ସ୍ବାଦିଷ୍ଠ ଏବଂ ତା’ର ମାଂସ ଖାଇଲେ ଶ୍ୱାସ ଓ ଅନ୍ୟ କେତେକ ରୋଗ ଭଲ ହୁଏ ବୋଲି ଲୋକଙ୍କ ଭିତରେ ବିଶ୍ୱାସ ବସା ବାନ୍ଧିବା ଯୋଗୁ ବୃଦ୍ଧି ପାଇଲା ବାଦୁଡ଼ି ଶିକାର। ଶେଷରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଚଣ୍ଡ ଉତ୍ତାପ ତାକୁ ଦେଖେଇଲା ବିଲୁପ୍ତିର ରାସ୍ତା।
ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ମନେହୁଏ ମରିସସ୍‌ର ଘଞ୍ଚ କାଲ୍‌ଭେରିଆ ଅରଣ୍ୟର କାରୁଣ୍ୟଭରା ବିଲୁପ୍ତି। ମରିସସ୍‌କୁ ଦିନେ ଶୋଭା ଓ ସବୁଜିମାରେ ଭରି ଦେଇଥିଲା କାଲ୍‌ଭେରିଆ ବୃକ୍ଷର ଘଞ୍ଚ ଜଙ୍ଗଲ। ଏହି ଗଛର ଫଳ ଖାଇ ସେଠାରେ ବିଚରଣ କରୁଥିଲେ ଅସଂଖ୍ୟ ଡୋଡୋ ପକ୍ଷୀ। କାଲ୍‌ଭେରିଆ ଗଛର ଫଳ ଏତେ ଶକ୍ତ ଯେ, ତାହା ଭୂମିରେ ପଡ଼ି ଅଙ୍କୁରୋଦ୍‌ଗମ ହୋଇପାରେନି ସ୍ବାଭାବିକ ଭାବରେ। ଏହି ଫଳକୁ ଖାଉଥିବା ଡୋଡୋ ପକ୍ଷୀର ପେଟ ଭିତରେ ମଞ୍ଜିଟି ପ୍ରକ୍ରିୟାକରଣ ହୋଇ ମଳରେ ନିସୃତ ହେବା ପରେ ତାହା ଅଙ୍କୁରୋଦ୍‌ଗମ ହୋଇ ଚେର ଲମ୍ବାଏ ମାଟି ଭିତରେ। ଉଡ଼ି ପାରୁ ନଥିବା ଓ ସହଜରେ ଧରାଦେଉଥିବା ଏହି ପକ୍ଷୀଟି ମଣିଷର ମାଂସ ଲାଳସାରେ ଶିକାର ହୋଇ ବିଲୁପ୍ତ ହେବା ଫଳରେ ଉଜୁଡ଼ିଗଲା ମରିସସ୍‌ର କାଲ୍‌ଭେରିଆ ଜଙ୍ଗଲ।
ଆମ ପରିବେଶରେ ବର, ଅଶ୍ୱସ୍ତ, ଚନ୍ଦନ ଓ ଡିମିରି ପରି ଅନେକ ପ୍ରକାର ଗଛ ଅଛି, ଯାହା କେବଳ ସୃଷ୍ଟି ହୁଏ ପକ୍ଷୀର ମଳରୁ। ଏସବୁ ଗଛଗୁଡ଼ିକ କୃତ୍ରିମ ଉପାୟରେ ସୃଷ୍ଟି କରିବା ସମ୍ଭବ ନୁହେଁ କୌଣସି ଆଧୁନିକ ପ୍ରୟୋଗଶାଳାରେ। ଏଥିରୁ ବୁଝିବାକୁ ହେବ ଯେ, ପକ୍ଷୀକୁ ସୁରକ୍ଷା ନ ଦେଲେ ବାଧାପ୍ରାପ୍ତ ହୁଏ ପରାଗସଙ୍ଗମ ଓ ବୀଜ ବିକ୍ଷେପଣ। ଏ ଦିଗରେ ମଣିଷ ସଚେତନ ନ ହେଲେ ଖିନ୍‌ଭିନ୍‌ ହୋଇଯିବ ଜୀବନଚକ୍ରର ଛନ୍ଦ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri