Categories: ଫୁରସତ

ପକ୍ଷୀ ଉଡ଼ାଇପାରିଲେ ଦିନକୁ ୨୦ ହଜାର

ଲଣ୍ଡନ: କରୋନା ପରେ ପରେ ବହୁ ଲୋକ ତାଙ୍କ ଚାକିରି ହରାଇଥିଲେ। ସେ ସମୟରେ ଅନେକ କମ୍ପାନୀ ମଧ୍ୟ ବନ୍ଦ ହୋଇଯାଇଥିଲା। ଏଥିସହ ଅନେକ କମ୍ପାନୀ ଭିନ୍ନ ପ୍ରକାରର ସ୍କିମ ଆଣିଥିଲା। ନିକଟରେ ଏକ କମ୍ପାନୀ ଭିନ୍ନ ଏକ ଚାକିରିର ଅଫର ଦେଉଛି; ଯେଉଁଥିରେ ଲୋକେ ଦିନକରେ ପାଖାପାଖି ୨୦ ହଜାର ଟଙ୍କା ରୋଜଗାର କରିପାରିବେ। ହେଲେ କମ୍ପାନୀର ଚାକିରି ବାବଦରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଲଣ୍ଡନର ୟର୍କସାଇନ୍‌ରେ ଅବସ୍ଥିତ ଚିପ୍‌ ସପ୍‌ କମ୍ପାନୀର ମାଲିକ ୩୧ ବର୍ଷୀୟ ଆଲେକ୍ସ ବେର୍ଡ ଏପରି ଏକ କର୍ମଚାରୀ ଖୋଜୁଛନ୍ତି, ଯିଏ ସେ ଅଞ୍ଚଳର ପକ୍ଷୀଙ୍କୁ ଉଡ଼ାଇପାରିବେ। ସେଥିରେ ସକ୍ଷମ ହେଲେ ରାତି ବେଳକୁ ୨୦ ହଜାର ଟଙ୍କା ନେଇ ଘରକୁ ଯାଇପାରିବେ। ପ୍ରକୃତରେ ଯେଉଁଠାରେ ଏହି କମ୍ପାନୀ ରହିଛି, ସେଠାରେ ବହୁତ ମାଛ ରଖାଯାଏ। ଏହି କମ୍ପାନୀ ଫିସ୍‌ ଚିପ୍ସ ତିଆରି କରେ। ଷ୍ଟୋରରେ ମାଛ ଭର୍ତ୍ତି ହେବା ପରେ ସେଠାରେ ସିଗୁଲ ପକ୍ଷୀ ଆସି ମାଛକୁ ଚୋରି କରି ନିଅନ୍ତି। ସେଥିପାଇଁ ଆଲେକ୍ସ ଏପରି ଏକ ଚାକିରି ବାବଦରେ ଚିନ୍ତା କଲେ। ଯିଏ ସିଗୁଲ ପକ୍ଷୀଙ୍କୁ ଉଡ଼ାଇବ, ତାଙ୍କୁ ଦିନକୁ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କଲେ। ଏହା ଶୁଣି ବହୁତ ଲୋକ ଚାକିରି ପାଇଁ ଆଗେଇ ଆସିଲେ। ହେଲେ କେହି ପକ୍ଷୀଙ୍କୁ ଉଡ଼ାଇପାରିଲେନି। ପରେ କୋରେ ନାମକ ଜଣେ ବ୍ୟକ୍ତି ଏକ ବଡ଼ ଶାଗୁଣା ବେଶରେ ଆସିବାରୁ ତାଙ୍କୁ ଦେଖି ପକ୍ଷୀ ସବୁ ସେଠାରୁ ଉଡ଼ି ପଳାଇଲେ। ଆଲେକ୍ସଙ୍କୁ କୋରେଙ୍କ ଏହି ଉପାୟ ପସନ୍ଦ ଆସିଲା।

Share