Categories: ଜାତୀୟ

ବୀରେନ୍‌ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ

ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ନେଇ ଦିନ ସାରା ଚର୍ଚ୍ଚା ଲାଗିରହିଥିଲା। ସେ ଇସ୍ତଫା ଦେବା ପାଇଁ ଅପରାହ୍ନରେ ରାଜଭବନ ଯିବାକୁ ବାହାରିଥିଲେ। ଇମ୍ଫାଲସ୍ଥିତ ବାସଭବନ ବାହାରେ ତାଙ୍କ ପ୍ରତି ବିଶାଳ ସମର୍ଥନ ଦେଖି ସେ ନିଷ୍ପତ୍ତି ବଦଳାଇଥିଲେ। ବର୍ତ୍ତମାନ ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ବୀରେନ୍‌ ଇସ୍ତଫା ଦେବାକୁ ରାଜଭବନ ଅଭିମୁଖେ ବାହାରିବା ସମୟରେ ହଜାର ହଜାର ମହିଳା ତାଙ୍କ ବାସଭବନକୁ ଘେରି ମାନବ ଶୃଙ୍ଖଳ ସୃଷ୍ଟି କରିଥିଲେ। ସେ ଇସ୍ତଫା ଦେବାକୁ ଆମେ ଚାହୁଁନାହୁଁ ବୋଲି ବିକ୍ଷୋଭକାରୀମାନେ କହିଥିଲେ। ତାଙ୍କ ବାସଭବନରୁ ୨ ଜଣ ମନ୍ତ୍ରୀ ଇସ୍ତଫାପତ୍ରର ଏକ ନକଲ ଆଣି ବାହାରକୁ ଆସିବା ବେଳେ ଏହାକୁ ଚିରିଦିଆଯାଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ବୀରେନ୍‌ ପରେ ଟୁଇଟ୍‌ କରି ଜଣାଇଛନ୍ତି। ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଇସ୍ତଫାପତ୍ର ଟାଇପ୍‌ କରିଥିଲେ। ତେବେ ସମର୍ଥକମାନେ ଏହାକୁ ଚିରିଦେବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। ସୋସିଆଲ ମିଡିଆରେ ଉକ୍ତ ଚିରା ଇସ୍ତଫାପତ୍ର ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମଣିପୁର ରାଜ୍ୟପାଳ ଅନସୂୟା ଉଇକେଙ୍କୁ ଭେଟି ରାଜ୍ୟରେ ସ୍ବାଭାବିକ ସ୍ଥିତି ଫେରାଇଆଣିବା ନେଇ ଆଲୋଚନା କରିଛନ୍ତି। ମଣିପୁର ହିଂସାର ସମାଧାନ ସୂତ୍ର ଏପର୍ଯ୍ୟନ୍ତ ବାହାରିପାରୁ ନ ଥିବାରୁ ରାହୁଲ ସମାଜର ସବୁ ବର୍ଗଙ୍କୁ ଶାନ୍ତି ଫେରାଇ ଆଣିବା ଲାଗି ଅପିଲ କରିଛନ୍ତି। ମଣିପୁରରେ ଘଟିଯାଇଥିବା ଦୁଃଖଦ ଘଟଣା ରାଜ୍ୟ ଓ ଦେଶ ପାଇଁ ଯନ୍ତ୍ରଣାଦାୟକ। ରାଜ୍ୟରେ ଯେକୌଣସି ପ୍ରକାରେ ଶାନ୍ତି ଫେରାଇ ଆଣିବା ପାଇଁ ସହାୟତା କରିବା ନିମନ୍ତେ ସେ ମଣିପୁର ଆସିଥିବା ରାହୁଲ ରାଜଭବନ ବାହାରେ ଖବରଦାତାମାନଙ୍କୁ କହିଥିଲେ। ସେ ଇମ୍ଫାଲ, ଚୁରାଚାନ୍ଦପୁର ଏବଂ ମୋଇରାଙ୍ଗରେ ବିଭିନ୍ନ ରିଲିଫ କ୍ୟାମ୍ପ ପରିଦର୍ଶନ କରିବା ସହ ସବୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଆଶ୍ରୟସ୍ଥଳଗୁଡ଼ିକରେ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ମାନରେ ଉନ୍ନତି ଆବଶ୍ୟକ। ହିଂସାକାଣ୍ଡ ଯୋଗୁ ଘରଦ୍ୱାର ଛାଡ଼ି ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଔଷଧ ଯୋଗାଇଦେବାକୁ ରାହୁଲ କହିଥିଲେ। ଶାନ୍ତି ଫେରାଇ ଆଣିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ।

Share